ପୁରୀ ୨୨।୨: ମାଟ୍ରିକ୍ ପରୀକ୍ଷାରେ ନକଲି ପରୀକ୍ଷାର୍ଥୀ । ସାନ ଭାଇ ପାଇଁ ବଡ ଭାଇ ଦେଉଥିଲା ପରୀକ୍ଷା । ପରୀକ୍ଷା ହଲରେ ଯାଞ୍ଚ ବେଳେ ସେ ଧରାପଡିଯାଇଛନ୍ତି । ତେବେ ତାଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଗତ ୨୧ ତାରିଖରୁ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି । ଆଜି ପରୀକ୍ଷାର ଦ୍ବିତୀୟ ଦିନ ଥିଲା । ଛାତ୍ରଛାତ୍ରୀମାନେ ଆଜି ଇଂଗ୍ରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି । ଇଂଗ୍ରାଜୀ ପରୀକ୍ଷାରେ ପୁରୀ ଅଞ୍ଚଳରେ ଜଣେ ନକଲି ପରୀକ୍ଷାର୍ଥୀ ପରୀକ୍ଷା ଦେବା ସମୟରେ ଗିରଫ ହୋଇଛନ୍ତି ।
ପୁରୀ ସଦର ବାସୁଦେବପୁର କନକଦୁର୍ଗା ହାଇସ୍କୁଲର ଜଣେ ପରୀକ୍ଷାର୍ଥୀ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ତେବେ ତାଙ୍କ ପାଇଁ ତାଙ୍କ ବଡ ଭାଇ ପରୀକ୍ଷା ଦେଇ ଧରାପଡିଛନ୍ତି । ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ସାନ ଭାଇ ସ୍କୁଲରୁ ଆଡ୍ମିଟ କାର୍ଡ ନେଇ ପରୀକ୍ଷା ଦେଉଥିବା ବେଳେ ଆଜି ଇଂଗ୍ରାଜୀ ପରୀକ୍ଷା ଥିବାରୁ ବଡ ଭାଇ ତାଙ୍କ ପାଇଁ ପରୀକ୍ଷା ଦେବା ଲାଗି ପରୀକ୍ଷା କେନ୍ଦ୍ରକୁ ଯାଇଥିଲେ । ସାନ ଭାଇ ପରୀକ୍ଷା କେନ୍ଦ୍ରର ବାହାରେ ରହିଥିଲେ । ପରୀକ୍ଷା କେନ୍ଦ୍ରରେ ଯାଞ୍ଚ ବେଳେ ସେ ଧରା ପଡି ଅଟକ ଅଛନ୍ତି । ବଡ ଭାଇ ପୋଷ୍ଟାଲରେ ଚାକିରୀ କରୁଥିବା ନେଇ ଜଣାପଡିଛି ।