ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2/02/2023 at 6:03 PM

ଭଦ୍ରକ ୦୨/୦୨: ପୁଣି ଜଣେ ନକଲି ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି। ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ୱାର୍ଡରୁ ଭଦ୍ରକ ପୋଲିସ ତାଙ୍କୁ କାବୁ କରିଛି। ଗିରଫ ଅଭିଯୁକ୍ତଙ୍କ ପରିଚୟ ରାଜିବ ଲୋଚନ ନାୟକ। ସେ ଯାଜପୁର ଟାଉନ ଥାନା ଅଧୀନ ଖଣ୍ଡରା ଅଞ୍ଚଳର ବାସିନ୍ଦା।
ସେ ଡାକ୍ତରଖାନାରେ ଅବିକଳ ଡାକ୍ତରଙ୍କ ଭଳି ପୋଷାକ ପିନ୍ଧି ଏକ ଷ୍ଟେଥୋସ୍କୋପ୍ ପକାଇଥିଲେ। ତାଙ୍କ ପାଖରେ ଏକ ନକଲି ଡାକ୍ତରି ପରିଚୟ ପତ୍ର ଥିବା ଦେଖିବାକୁ ମିଳିଛି। ତାଙ୍କୁ ଗୁରୁବାର ଭଦ୍ରକ ପୋଲିସ କୋର୍ଟ ଚାଲାଣ କରିଛି। ଅଭିଯୋଗ ନମ୍ୱର ୬୯/୨୩ମୂଳେ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ ୪୪୭, ୪୪୮, ୪୫୧ ସହିତ ୪୧୯, ୪୨୦ ଏବଂ ୫୦୬ ଦଫା ଲଗାଇ ଅଧିକ ପୋଲିସ ଅଧିକ ତଦନ୍ତ କରୁଛି।