ଅସଲି ଆସିନି, ନକଲି ଭେରି ସ୍ମାର୍ଟ: ବରଗଡରେ ନକଲି କରୋନା ଟିକା – ଔଷଧ, ଅଭିଯୁକ୍ତକୁ ସର୍ତ୍ତରେ ଛାଡିଲା ପୋଲିସ

Published By : Prameya-News7 Bureau | September 26, 2020 IST

ବରଗଡ, ୨୬ ।୦୯:  ବରଗଡ଼ରେ ନକଲି କରୋନା ଟିକା ଜବତ ଘଟଣାରେ ପୋଲିସର ତନାଘନା ଜାରି ରହିଛି । ଜବତ ହୋଇଥିବା ମେଡ଼ିସିନ ପରୀକ୍ଷା ପାଇଁ ଲାବ୍ରୋଟୋରିକୁ ପଠାଯାଇଛି। ଏହି ଘଟଣାରେ ଅଟକ ଥିବା ଯୁବକ ଜଣେ ହୋମିଓ ପ୍ୟାଥିକ ଡାକ୍ତର ଜଣା ପଡ଼ିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିବା ବେଳେ ତଦନ୍ତ ଜାରି ରହିଛି ।

ପ୍ରହ୍ଲାଦ ବିଶିଙ୍କ କରୋନା ମେଡ଼ିସିନ ।  ଯେଉଁଠି ଆମେରିକାଠାରୁ ରୁଷିଆ, ବିଶ୍ବ  ସ୍ବାସ୍ଥ୍ୟ ସଂଗଠନ ଠାରୁ ବଡ଼଼ ବ଼ଡ଼ ସଂଗଠନର ବୈଜ୍ଞାନିକମାନେ ମୁଣ୍ଡ ଗୋଲ କରି ବସିଛନ୍ତି ସେଠି ଲୋକଙ୍କ ମୁଣ୍ଡକୁ ଗୋଲ କରିଦେଇଛନ୍ତି ପ୍ରହ୍ଲାଦ ବିଶି । ବରଗଡ ଜିଲ୍ଲା ଭେଡେନ ଥାନା ରୁଷୁଡା ଗାଁର ପ୍ରହଲ୍ଲାଦ ବିଶି କରୋନା ଟିକା ତିଆରି କରିଥିବା ଦାବି କରିଥିଲେ । ଏହି ଖବର ଓଡ଼ିଶା ଡ୍ରଗ କଣ୍ଟ୍ରୋଲର ଜାଣିବା ପରେ ଶୁକ୍ରବାର ବିଲମ୍ବିତ ରାତ୍ରିରେ ଚଢାଉ କରିଥିଲେ । ଡ୍ରଗ କଣ୍ଟ୍ରୋଲରଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ଏସପିଙ୍କ ସହ ଭେଡେନ ପୋଲିସ ରୁଷୁଡା ଫାଣ୍ଡି, ବରଗଡ ଡ୍ରଗ ଇନପେକ୍ଟର ଓ ସମ୍ବଲପୁର ଡ୍ରଗ ଇନପେକ୍ଟର ମିଳିତ ଭାବେ ଚଢାଉ କରିଥିଲେ ।

ସୂଚନା ଅନୁସାରେ, ପ୍ରହ୍ଲାଦ ବିଶି ଜଣେ ହୋମିଓପାଥୀ ଡାକ୍ତର । ପ୍ରହ୍ଲାଦଙ୍କଠାରୁ ୧୨ରୁ ୧୪ ପ୍ରକାର ଔଷଧ ସାମ୍ପୁଲ ଜବତ କରାଯାଇଛି  ।  ସମସ୍ତ ଜବତ ସାମ୍ପୁଲ ପରୀକ୍ଷା ପାଇ ଲ୍ୟାବକୁ ପଠାଯାଇଛି । ହେଲେ ପ୍ରହ୍ମାଦ ବିଶି ବିଷ ବିକୁଥିଲେ କି ଅମୃତ ସେ କଥା କହୁନାହାନ୍ତି।  

ବେଳ ଦେଖି ବେପାର କରିବାର ସୁଯୋଗ ଅପେକ୍ଷାରେ ଥାନ୍ତି କିଛି ଲୋକ। ବର୍ତ୍ତମାନ ପାଇଁ ପ୍ରହ୍ଲାଦଙ୍କୁ ଛାଡି଼ ଦିଆଯାଇଛି। ଯଦି ତାଙ୍କ ମେଡ଼ିସିନରୁ କିଛି ଆପତ୍ତିଜନକ ସାମଗ୍ରୀ ମିଳେ ତେବେ ପ୍ରହ୍ଲାଦଙ୍କୁ ଗିରଫ କରାଯିବ ବୋଲି ଡ୍ରଗ ଇନ୍ସ୍ପେକ୍ଟର ସସ୍ମିତା ଦେହୁରୀ  ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.