ନୀଳଗିରି: ଗ୍ରାମାଞ୍ଚଳ ଦୋକାନମାନଙ୍କରେ ମିଳୁଛି ଥଣ୍ଡା ଜହର

Published By : Prameya-News7 Bureau | February 07, 2021 IST

ନୀଳଗିରି୭/୨: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ମିଳୁଛି ଥଣ୍ଡା ଜହର। ଅବିକଳ ନକଲ ଭଳି ଲୋଗୋ ଲଗାଇ ଅଞ୍ଚଳବାସୀଙ୍କ ଆଖିରେ ଧୂଳି ଦେଇ ବିକ୍ରି ଚାଲିଛି ମୃଦୁ ପାନୀୟ ବା ଥଣ୍ଡା। ଏହି ନକଲି ଥଣ୍ଡା କାରବାର ଚେର ଭୁବନେଶ୍ୱର ପର୍ଯ୍ୟନ୍ତ ଲମ୍ବିଥିବା କୁହାଯାଉଛି। କିଛିଦିନ ପୂର୍ବରୁ ଭୁବନେଶ୍ୱର ଅଞ୍ଚଳରେ ମୃଦୁ ପାନୀୟ କାରଖାନା ନଜରକୁ ଆସିଥିଲା। ସ୍ୱତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରି ଫୁଡ଼ ସେଫ୍ଟଟି ବିଭାଗ କିପରି ଚାଲିଛି ପ୍ରଶ୍ନ ଉଠିଥିଲା।

ନାମିଦାମୀ କମ୍ପାନୀ ଲେଖାର ଲୋଗୋକୁ ଅବିକଳ ନକଲ କରି ସେହିଭଳି ନାମ କିଞ୍ଚିତ ବଦଳାଇ ଗ୍ରାହକଙ୍କ ଆଖିରେ ଧୂଳି ଦେଉଥିବା ଅଭିଯୋଗ ଉଠିଛି।ଏହି ସବୁ ପାନୀୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି।ଗାଁ ଗଣ୍ଡାରେ ଘୁରି ବୁଲୁଛନ୍ତି ନୂଆ ନୂଆ କମ୍ପାନୀର ଏଜେନ୍ସି ଓ ସେଲସ୍‌ମ୍ୟାନ।

ଗ୍ରାମାଞ୍ଚଳର ଅଧିକାଂଶ ଦୋକାନୀ ଅଧିକ ଲାଭ ଆଶାରେ ଏହି ନକଲି ଥଣ୍ଡା ରଖୁଛନ୍ତି।  ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଏହି ମୃଦୁ ପାନୀୟ ଚାରିଆଡେ ଗ୍ରାସ କରିଯାଇଛି।ଆଗକୁ ଗ୍ରୀଷ୍ମ ଦିନ ଆସୁଥିବା ବେଳେ ଥଣ୍ଡାର ଚାହିଦାକୁ ଆଖି ଆଗରେ ରଖି ଏବେ ଠାରୁ ଯୋଜନା ଆରମ୍ଭ ହୋଇଥିବା ସୂଚନା ମିଳିଛି।ଏ ଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣ ଲୋକ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.