ନୂଆଦିଲ୍ଳୀ, ୦୬/୦୧: ଦିଲ୍ଳୀର ବହୁର୍ଚ୍ଚିତ କାଞ୍ଝାଓ୍ବାଲା ଦୁର୍ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି କୋଲକାତାରେ। ଯେଉଁଠାରେ ଏକ ଡମ୍ପର ଜଣେ ବ୍ୟକ୍ତିଙ୍କୁ ପ୍ରାୟ ୧.୫ କିଲୋମିଟର ଘୋଷାଡ଼ି ନେଇଥିଲା। ଆଉ ଏଥିରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଘଟଣା ଘଟିଛି ସିଲିଗୁଡ଼ିରେ। ଡମ୍ପର ସହ ଧକ୍କା ହେବା ପରେ ଡମ୍ପରଟି ତାଙ୍କୁ ପ୍ରାୟ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ବ୍ୟକ୍ତିଙ୍କର ଅତ୍ୟନ୍ତ ଦୁଃଖଦାୟକ ମୃତ୍ୟୁ ହୋଇଛି।
ପ୍ରକୃତରେ ସ୍କୁଟରଟି ଡମ୍ପର ସହ ଧକ୍କା ହେବା ପରେ ଏଥିରେ ଫସିଯାଇଥିଲା। ଆଉ ଏହିପରି ଭାବରେ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଚାଲିଥିଲା। ଫଳରେ ସ୍କୁଟରରେ ନିଆଁ ଲାଗିଯାଇଥିଲା। ଯେଉଁଥିରେ ଜୀବନ୍ତ ଜଳିଯାଇଥିଲେ ବ୍ୟକ୍ତି ଜଣକ।
ରିପୋର୍ଟ ଅନୁଯାୟୀ ଏହି ଘଟଣା ଗୁରୁବାର ରାତି ସାଢ଼େ ଆଠଟା ସମୟରେ ୟୁନିଭର୍ସିଟି ଅଫ୍ ନର୍ଥ ବେଙ୍ଗଲ କ୍ୟାମ୍ପସ ସାମ୍ନାରେ ଘଟିଛି। ବ୍ୟକ୍ତିଙ୍କ ନାମ ଅନନ୍ତ ଦାସ ବୋଲି ଜଣାପଡ଼ିଛି। ସେ ଜଣେ ବ୍ୟବସାୟୀ ଏବଂ ଗୁରୁବାର ରାତିରେ ବାଗଡୋଗ୍ରାରୁ ଘରକୁ ଫେରିବାବେଳେ ତାଙ୍କ ସହ ଏହି ଦୁର୍ଘଟଣା ଘଟିଥିଲା। ତେବେ ଦମକଳବାହିନୀ ପହଞ୍ଚିବାବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତେବେ ପୋଲିସ ଉକ୍ତ ଡମ୍ପର ଡ୍ରାଇଭରଙ୍କୁ ଗିରଫ କରିଛି।