ବାଇକକୁ ଧକ୍କା ଦେଲା ଡମ୍ଫର : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
18/06/2019 at 6:22 PM

ବାଲେଶ୍ୱର ୧୮/୬ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଡେମୁରିଆ ଛକଠାରେ ଦୁର୍ଘଟଣା ଘଟିଛି । ଏକ ଡମ୍ଫର ବାଇକକୁ ଧକ୍କା ଦେବା ଫଳରେ ବାଇକ ଯାଉଥିବା ସ୍ବାମୀ ଏବଂ ସ୍ତ୍ରୀ ତଳେ ପଡିଯାଇଥିଲା । ତଳେ ପଡିଯିବାରୁ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଅନୁଯାୟୀ, ଛୁଞ୍ଚିଆ ଗ୍ରାମର ନିର୍ମାଲ୍ୟ ପାତ୍ରଙ୍କ ସ୍ତ୍ରୀ ଗୁରୁବାରି ପାତ୍ରଙ୍କ ମୃତ୍ୟୁ ଘଟିବା ପରେ ଡମ୍ଫର ଆରୋହୀ ଘଟଣା ସ୍ଥଳରେ ଫେରାର ହୋଇଯାଇଛି । ଗୁରୁତର ସ୍ୱାମୀଙ୍କୁ ଜଳେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟବାସିନ୍ଦା ଜଳେଶ୍ବର ଚନ୍ଦନେଶ୍ବରର ମୁଖ୍ୟରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି । ଖବରପାଇ ଜଳେଶ୍ୱର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି ।
