ଦିଶା ପଟାନୀ ଏବଂ ରନ୍ବୀରଙ୍କ ଡ୍ୟାନ୍ସରେ ଦୁଲୁକିଲା ବାରବାଟୀ; ପ୍ରୀତମ୍, ନୀତି ମୋହନ, ବେନି ଦୟାଲଙ୍କ ସ୍ଵରରେ ଝୁମିଲେ ଦର୍ଶକ
11/01/2023 at 9:26 PM

କଟକ: ଉଦଘାଟନ ହେଲା ପୁରୁଷ ହକି ବିଶ୍ଵ କପ୍ ୨୦୨୩। କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଏବଂ ଭବ୍ୟ ଉତ୍ସବ ମଧ୍ୟରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ହକି ବିଶ୍ଵ କପ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ହକି ଇଣ୍ଡିଆ ସଭାପତି ଦୀଲିପ ତିର୍କୀ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷ ଉପସ୍ଥିତିରେ ପୁରୁଷ ହକି ବିଶ୍ଵ କପ୍ ଉଦଘାଟିତ ହୋଇଛି।

ଉଦଘାନଟନୀ ଉତ୍ସବରେ ଓଲିଉଡ୍ ଓ ବଲିଉଡ୍ ତାରକାଙ୍କ ଜଲୱା ଦେଖିବାକୁ ମିଳିଛି। କିନ୍ତୁ ଯାହାଙ୍କ ଡାନ୍ସ ଓ ଜଲଓ୍ବାକୁ ଦେଖିବାକୁ ଅପେକ୍ଷା କରିଥିଲେ, ଷ୍ଟେଜ୍ ଉପରେ ତାଙ୍କର ଏଣ୍ଟ୍ରି ହେବା ପରେ ଝୁମି ଉଠିଥିଲେ ଦର୍ଶକ। ବଲିଉଡ୍ ବାଜିରାଓ ଅଭିନେତା ରନ୍ବୀର୍ ସିଂଙ୍କ ଏଣ୍ଟ୍ରିରେ କମ୍ପି ଉଠିଥିଲା ବାରବାଟୀ। ଜୟ ହୋ ଜୟ ହୋ ଗୀତରେ ଆକାଶମାର୍ଗରୁ ସିଧାସଳଖ ଷ୍ଟେଜ୍ ଉପରକୁ କରିଥିଲେ ଏଣ୍ଟ୍ରି। ଝୁମିଥିଲେ ଦର୍ଶକ। କୋଳାହଳରେ ଫାଟି ପଡ଼ିଥିଲା ବାରବାଟି ଷ୍ଟାଡିମୟ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଅନ୍ୟ ଏକ ପ୍ରମୁଖ ଆକର୍ଷଣ କେନ୍ଦ୍ର ପାଲଟିଥିଲେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀ। ତାଙ୍କ ଏଣ୍ଟ୍ରିରେ କମ୍ପି ଉଠିଥିଲା ବାରବାଟୀ। ସୁଖା ଦରିଆ, ମଲଙ୍ଗ ମଲଙ୍ଗ, ସିଟି ମାର, ସ୍ଲୋ ମୋଶନ, ଉ ଆଣ୍ଟାଓ୍ଵା ଆଦି ଗୀତରେ ଦିଶା ନିଜର ମନ୍ତ୍ର ମୁଗ୍ଧକର ନୃତ୍ୟ ପରିବେଷରେ ଦର୍ଶକଙ୍କୁ ମତୁଆଲା କରିଥିଲେ। ଏହା ପରେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ଗ୍ରୁପ ମନ୍ତ୍ର ମୁଗ୍ଧକର ସଙ୍ଗୀତ ପରିବେଷଣ କରିଥିଲେ।
ବ୍ରହ୍ମାସ୍ତ୍ରର ଓଁ ଦେବା ଦେବାରୁ ଆରମ୍ଭ ହୋଇଥିବା ଏହି ସଙ୍ଗୀତ ପରେ ପରେ ବଦ୍ତମିଜ୍ ଦିଲ୍ ମାନେନା, ଓଁ ଶାନ୍ତି ଓଁରେ ରେ ଦର୍ଶକଙ୍କୁ ଝୁମିବା ପାଇଁ ସିଟ୍ରୁ ଉଠି ନାଚିବାକୁ ବାଧ୍ୟ କରିଥିଲା। ଗୀତିକାରଙ୍କ ଗୀତର ତାଳେ ତାଳେ ଦର୍ଶକେ ନିଜେ ତାଳ ଦେବା ସହିତ ତାରା ଭଳି ଦିଶୁଥିବା ମୋବାଇଲ୍ ଫ୍ଳାସ୍ ଲାଇଟ୍ରେ ସାରା ବାରବାଟରୀ ଷ୍ଟାଡିୟମ ଝଲସି ଉଠିଥିଲା।

ଦୀର୍ଘ ସମୟ ଧରି ପ୍ରୀମ, ନୀତି ମୋହନ, ବେନି ଦୟାଲ ଓ ସାଥି କଣ୍ଠଶିଳ୍ପୀ ବ୍ୟାକ୍ ଟୁ ବ୍ୟାକ୍ ଗୀତରେ ମତୁଆଲା ହୋଇଥିଲେ ଦର୍ଶକ। ତେବେ ଉଦ୍ଘାଟନୀ ଉତ୍ସବରେ ସବୁଠାରୁ ଆକର୍ଷଣୀୟ ଥିଲା ଦୁଇ ବଲିଉଡ୍ ହୋଷ୍ଟଙ୍କ ଦମଦାର ପ୍ରଦର୍ଶନ। ମନିଷ ପୌଲ ଓ ଗୌହର୍ ଖାନ୍ଙ୍କ ଆକର୍ଷଣୀୟ ଉପସ୍ଥାପନାର ମଧ୍ୟ ଭରପୁର ମଜା ଉଠାଇଥିଲେ ଦର୍ଶକଙ୍କ ସମେତ ଆମନ୍ତ୍ରିତ ଅତିଥି। ଗୋଟିଏ ପରେ ଗୋଟିଏ ଇଭେଣ୍ଟକୁ ଦୁହେଁ ସୁଚାରୁ ରୁପେ ସମ୍ପାଦନ କରିଥିଲେ।
ନାମୀ କଳାକାରଙ୍କ ପ୍ରଦର୍ଶନରେ ବାରବାଟୀ ଏବଂ ଦର୍ଶକ ଝୁମି ଉଠିଛନ୍ତି। ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍ରେ ଦର୍ଶକ ଝୁମି ଉଠିଛନ୍ତି। ପ୍ରଥମ ଥର କଟକରେ ଦେଖିବାକୁ ମିଳିଛି ଅତ୍ୟାଧୁନିକ ଡ୍ରୋନ୍ ଶୋ। କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯାଇଛି।

ଉଦଘାଟନୀ ଉତ୍ସବରେ ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଛି। ପରେ କଣ୍ଠଶିଳ୍ପୀ ସ୍ମିତି ମିଶ୍ରଙ୍କ ସଂଗୀତରେ ଝୁମି ଉଠିଥିଲେ ସମବେତ ଦର୍ଶକ। ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ସେହିପରି ର ଷ୍ଟାର ତଥା ଓଡିଆ ପୁଅ ଋତୁରାଜ ମହାନ୍ତି ନିଜ ସ୍ଵରରେ ଉଦଘାଟନୀ ଉତ୍ସବ ମାହୋଲକୁ ଆହୁରି ରଙ୍ଗୀନ କରିଥିଲେ। ତାଙ୍କ ପରେ ଲିସା ମିଶ୍ରଙ୍କ ନିଜର ପ୍ରସ୍ତୁତି ଦେଇଥିଲେ।

ଆଇନ୍ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରବାଟୀ ଷ୍ଟାଡିୟମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି। ଏଥିରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୨ଶହ ସୁରକ୍ଷା ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ହକି ବିଶ୍ବକପ୍ର ଉଦଘାଟନୀ ଉତ୍ସବ ପାଇଁ ବୁଧବାର ଦିନ ୧ଟାରୁ ପରଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି କରାଯାଇଥିଲା। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ରହିଛି। ଛାତ୍ରଛାତ୍ରୀ ମାନେ ଉଦଘାଟନୀ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ସ୍କୁଲ ଛୁଟି ନିଷ୍ପତ୍ତି ନେଇଥିଲେ।