ଶିକ୍ଷକ ଅଭାବ ହେତୁ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କଲେ ଛାତ୍ରଛାତ୍ରୀ

Published By : Prameya-News7 Bureau | August 05, 2022 IST

ପାଟଣାଗଡ଼ ୦୫/୦୮: ସଭିଏଁ ପଢିନ୍ତୁ ସଭିଏଁ ବଢ଼ନ୍ତୁ ଏହି ନାରା ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ଲେଖା ହୋଇଛି। ସରକାରୀ ବାବୁମାନଙ୍କ ଉଦାଶିନତା ପାଇଁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କ ହକ ପାଇ ନଥିବା ଦେଖିବାକୁ ମିଳିଛି। ପ୍ରତ୍ୟକ ଦିନ ବିଭିନ୍ନ ଅଞ୍ଚଳର ବିଦ୍ୟାଳୟମାନଙ୍କରେ ଶିକ୍ଷକ ଅଭାବ ଥିବା ଦେଖିବାକୁ ମିଳୁଛି। ଏହି କାରଣ ପାଇଁ ବିଦ୍ୟାଳୟ ପରିଚାଳାନା କମିଟି ଓ ଛାତ୍ରଛାତ୍ରୀ ଏକାଠି ହୋଇ ସ୍କୁଲରେ ତାଲା ପକାଇଛନ୍ତି ଆନ୍ଦୋଳନ କରିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ପାଟଣାଗଡ଼ ବ୍ଲକର ପାଢେଲ ଗାଁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପାଠ ପଢ଼ାରେ ଅସୁବିଧା ହେଉଥିବା ଅଭିଯୋଗ କରି ସ୍କୁଲରେ ଛାତ୍ରଛାତ୍ରୀମାନେ ଏବଂ ଅଭିବାବକମାନେ ତାଲା ପକାଇଥିଲେ ଆନ୍ଦୋଳନ କରିଛନ୍ତି।

ଏହି ସ୍କୁଲରେ ୨୭୬ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ପୂର୍ବରୁ ୮ଜଣ ଶିକ୍ଷକ ଶିକ୍ଷୟୀତ୍ରୀ ଥିଲେ। କିନ୍ତୁ ମାସେ ହେଲା ଏହି ସ୍କୁଲରୁ ୩ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। କିନ୍ତୁ ଏହି ସ୍କୁଲରେ ସେହି ୩ ଶିକ୍ଷକଙ୍କ ସ୍ଥାନରେ ଅନ୍ଯ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉନି। ଏନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଖରେ ବିଦ୍ୟାଳୟ ପରିଚାଳନା କମିଟି ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ସେଥିପାଇଁ ଶୁକ୍ରବାର ବିଦ୍ୟାଳୟରେ ତାଲା ପକାଯାଇଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି କହିଛି। ଖବର ପାଇ ପାଟଣାଗଡ ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍କୁଲରେ ଶିକ୍ଷକ ନଥିବାରୁ ସ୍କୁଲରେ ପାଠ ପଢ଼ା ହୋଇ ପାରୁନାହିଁ ତୁରନ୍ତ ଆମକୁ ଶିକ୍ଷକ ଦିଅନ୍ତୁ ବୋଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଛାତ୍ରଛାତ୍ରୀମାନେ ଗୁହାରି କରିଛନ୍ତି। ଆଗାମି ୪ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ହେବେ ବୋଲି ବ୍ଲକ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେବାପରେ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଧାରଣାରୁ ଓହରି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.