ଆଇସିସିର ଗୋଟିଏ ନିୟମରେ ଇଂଲଣ୍ଡ ପୁରୁଷ ଦଳ ବିଶ୍ଵ ଚମ୍ପିଆନ ହୋଇଥିବା ବେଳେ ଟୂର୍ଣ୍ଣାମେଣ୍ଟରୁ ବାହାର ହେଲା ମହିଳା ଦଳ

Published By : Prameya-News7 Bureau | March 05, 2020 IST

ନୂଆଦିଲ୍ଲୀ ୦୫।୦୩- ଆଇସିସିର ଏକ ନିୟମର ପେଞ୍ଚରେ ଇଂଲଣ୍ଡର ମହିଳା ଦଳ ଟି-୨୦ ବିଶ୍ଵ କପରୁ ବାହାର ହୋଇ ଯାଇଥିବା ବେଳେ ଅନ୍ୟପଟେ ପୁରୁଷ ଦଳ ଏହି ନିୟମ କାରଣରୁ ପ୍ରଥମ ଥର ବିଶ୍ଵ ଚମ୍ପିଆନ ହୋଇଥିଲା। ଆଇସିସି ସେମି ଫାଇନାଲ ଲାଗି ରିଜର୍ଭ ଡେ ମଧ୍ୟ ରଖାଯାଇନଥିଲା। ଯଦି ରିଜର୍ଭ ଡେ ଥାନ୍ତା ତେବେ ଇଂଲଣ୍ଡ ଜିତି ମଧ୍ୟ ପାରିଥାନ୍ତା ଯିଏ ଏ ପର୍ଯ୍ୟନ୍ତ ପାଞ୍ଚ ବିଶ୍ଵ କପରେ କେବେ ମଧ୍ୟ ଭାରତଠୁ ହାରି ନାହିଁ।

ବାଉଣ୍ଡରୀ ଗଣତିରେ ଇଂଲଣ୍ଡ ହୋଇଥିଲା ବିଶ୍ଵ ବିଜେତା

ଗତ ବର୍ଷ ଜୁଲାଇରେ ହୋଇଥିବା ଦିନିକିଆ ବିଶ୍ଵକପରେ ଇଂଲଣ୍ଡର ପୁରୁଷ ଦଳ ଆଇସିସିର ବାଉଣ୍ଡରୀ ନିୟମ କାରଣରୁ ଚମ୍ପିଆନ ହୋଇଥିଲା। ଫାଇନାଲ ଓ ସୁପର ଓଭର ପରେ ଇଂଲଣ୍ଡକୁ ଏହି ନିୟମ ଆଧାରରେ ବିଜୟୀ ଘୋଷିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାକୁ ନେଇ ବହୁତ ସମାଲୋଚନା ହୋଇଥିଲା। ଏହା ପରେ ଆଇସିସି ଏହି ନିୟମରେ ପରିବର୍ତ୍ତନ କରିଛି। ଏବେ ସେମି ଫାଇନାଲ ଓ ଫାଇନାଲର ପରିଣାମ ବାହାରିବା ପର୍ଯ୍ୟନ୍ତ ସୁପର ଓଭର ଖେଳାଯିବ।

ଏବେ  ଉଠିଲା ରିଜର୍ଭ ଡେର ଦାବି

ଇଂଲଣ୍ଡ ବିଶ୍ଵ କପରୁ ବାହାର ହେବା ପୂର୍ବରୁ ଅଷ୍ଟ୍ରେଲିଆ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଇସିସିଠାରେ ରିଜର୍ଭ ଡେ ରଖିବାକୁ ଅନୁରୋଧ କରିଥିଲା। ମାତ୍ର ଏହି ଟୂର୍ଣ୍ଣାମେଣ୍ଟ ଅଧିକ ଲମ୍ବା ହେବା କରି ଆଇସିସି ମନା କରି ଦେଇଥିଲା। ମହିଳା ବିଶ୍ଵକପରେ ବୋଧହୁଏ ଏହା ପ୍ରଥମ ଘଟଣା ଯେଉଁଠି କୌଣସି ଦଳ ବିନା ମ୍ୟାଚ୍ ଖେଳି ସେମି ଫାଇନାଲରେ ପହଞ୍ଚି ମଧ୍ୟ ଟୂର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି।

କଣ ତରବରିଆ ଭାବେ କରାଗଲା ମ୍ୟାଚ୍ ବାତିଲ

ମ୍ୟାଚ୍ ରଦ୍ଦ ନେଇ ଅଧିକ ସମୟ ଅପେକ୍ଷା କରାଯାଇନଥିଲା। କାରଣ ଏହି ପଡିଆରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ସେମି ଫାଇନାଲ ମ୍ୟାଚ୍ ଖେଳାଯିବାର ଥିଲା। ଏମିତିରେ ଯଦି ପ୍ରଥମ ମ୍ୟାଚକୁ ରଦ୍ଦ କରିବାରେ ବିଳମ୍ବ ହୋଇଥାନ୍ତା ତେବେ ଅନ୍ୟ ମ୍ୟାଚର ସିଧା ପ୍ରସାରଣ ପାଇଁ ବାକି ବ୍ୟବସ୍ଥା କରିବାରେ ପ୍ରସାରଣକର୍ତ୍ତାଙ୍କୁ ହଇରାଣ  ହେବାକୁ ପଡିଥାନ୍ତା। ଆଇସିସିର ଟି-୨୦ ନିୟମ ଅନୁଯାୟୀ ମ୍ୟାଚ୍ ପୂରା ହେବା ପାଇଁ ସର୍ବନିମ୍ନ ୨୦ ଓଭର ଖେଳାଯିବା ଜରୁରୀ ଅଟେ। ଏହାର ଅର୍ଥ ଦୁଇ ଦଳକୁ ୧୦ ଓଭର ଖେଳିବାକୁ ସମୟ ଦେବାକୁ ପଡିଥାନ୍ତା। ଯଦି ଏମିତି ହୋଇଥାନ୍ତା ତେବେ ଦ୍ଵିତୀୟ ସେମି  ଫାଇନାଲ ଉପରେ ଏହାର ପ୍ରଭାବ ପଡିଥାନ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.