ଚାରି ଧାମ ଯାତ୍ରା: ୪ ଦିନରେ ଗଲାଣି ୧୦ ତୀର୍ଥ ଯାତ୍ରୀଙ୍କ ଜୀବନ, ପହଞ୍ଚିଛନ୍ତି ୧.୩୦ ଲକ୍ଷ ଶ୍ରଦ୍ଧାଳୁ

Published By : Prameya-News7 Bureau | May 15, 2024 IST

ଉତ୍ତରକାଶୀ ୧୫।୫: ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାରେ ଭକ୍ତଙ୍କ ଭୀଡ଼  ଯୋଗୁ ସବୁ ବ୍ୟବସ୍ଥା ଧ୍ୱଂସ୍ତ ହୋଇଛି। ଖାସ କରି ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ଯାଉଥିବା ରାସ୍ତାରେ ୪୫ କିଲୋମିଟର ଦୀର୍ଘ ଜାମ ଲାଗିଛି। ଏହି ଜାମ ହରିଦ୍ୱାର ଆଗକୁ ବରକୋଟରୁ ଆରମ୍ଭ ହେଉଛି। ଯେଉଁଠାରୁ ସିଧା ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ଯାଇ ହେବ। ଉତ୍ତରକାଶୀ ଆଡକୁ ଯାଇଥିବା ୩୦ କିଲୋମିଟର ରାସ୍ତା ୱାନ-ୱେ। ଏଣୁ ମନ୍ଦିରରୁ ଫେରୁଥିବା ଗାଡ଼ିକୁ ଆଗ ଯିବାକୁ ଦିଆଯାଉଛି। 

ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ତୁଳନାରେ କେଦାରନାଥ ଯାଉଥିବା ରାସ୍ତାରେ ଜାମ କମ। ମଙ୍ଗଳବାର କେଦାରନାଥ ଓ ବଦ୍ରିନାଥରେ ୨୩ ହଜାର ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି। ଏଥି ମଧ୍ୟରେ ଜାମ୍‌ ରେ ଫଶି ରହିବା କାରଣରୁ ୫ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣଙ୍କର ଗାଡ଼ିରେ ବସିଥିବା ବେଳେ ମୃତ୍ୟୁ ହୋଇଛି। ଚାରିଧାମ ଯାତ୍ରାର ଗତ ୪ ଦିନରେ ୧୦ ଜଣ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁ ହେଲାଣି। ମୃତ ଭକ୍ତମାନଙ୍କ ବୟସ ୫୦ ବର୍ଷରୁ ଊର୍ଦ୍ଧ୍ୱ । ଏମାନଙ୍କ ମଧ୍ୟରୁ କେତେକ ଡାୟବେଟିଜ୍ ଓ ବ୍ଲଡ ପ୍ରେସରରେ ପୀଡ଼ିତ ଥିଲେ। 

ଉତ୍ତରକାଶୀରୁ ୨୦ କିଲୋମିଟର ଆଗକୁ ଗଲେ ରାସ୍ତାରେ ବୃଦ୍ଧ, ମହିଳା ଓ ପିଲାଙ୍କୁ ବସି ଆରାମ କରୁଥିବାର ଦେଖାଯାଉଛି। ଯେଉଁ ସ୍ଥାନରେ ଜାମ ରହିଛି ସେଠାରେ ନା ଖାଇବାକୁ ମିଳୁଛି ନା ଆଶ୍ରୟ ନେବାର କୌଣସି ବ୍ୟବସ୍ଥା ଅଛି। ଆଖପାଖର ଲୋକେ ପାଣି ବୋତଲ ୩୦ରୁ ୪୦ ଟଙ୍କା ଦରରେ ବିକ୍ରି କରୁଥିବା ବେଳେ ଶୌଚାଳୟ ବ୍ୟବହାର କଲେ ୧୦୦ ଟଙ୍କା ଆଦାୟ କରୁଛନ୍ତି। ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ୪ ଦିନରେ ୧.୩୦ ଲକ୍ଷ ଶ୍ରଦ୍ଧାଳୁ ପହଞ୍ଚି ସାରିଲେଣି। 


ଗତବର୍ଷ ପ୍ରାରମ୍ଭିକ ଯାତ୍ରାର ୪ ଦିନରେ ମାତ୍ର ୫୨ ହଜାର ଶ୍ରଦ୍ଧାଳୁ ପହଞ୍ଚିଥିଲେ। ହେଲେ ଚଳିତବର୍ଷ ଏପର୍ଯ୍ୟନ୍ତ ଯେତେ ଲୋକ ପହଞ୍ଚିଛନ୍ତି ସେତିକି ସଂଖ୍ୟକ ଲୋକେ ୨୦୨୩ରେ ୧୬ ଦିନ ପରେ ବି ପହଞ୍ଚି ନଥିଲେ। ଉତ୍ତରାଖଣ୍ଡ ପୋଲିସ ଡିଜି  ଅଭିନବ କୁମାର କହିଛନ୍ତି ଯେ ଗତବର୍ଷ ଗଙ୍ଗୋତ୍ରୀ ଓ ଯମୁନେତ୍ରୀକୁ ମାସ ଶେଷ ସୁଧା ୧୨ରୁ ୧୩ ହଜାର ଯାତ୍ରୀ ଯାତ୍ରା କରିଥିଲେ। ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୬ ଲକ୍ଷ ଲୋକେ ଦର୍ଶନ ନିମନ୍ତେ ପଞ୍ଜିକରଣ କରିଛନ୍ତି। 


ଏହି ଯାତ୍ରା ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ। ଏବେ କବାଟ ଖୋଲିବାର ମାତ୍ର ୪ ଦିନ ହୋଇଛି। ଏଣୁ ଗତବର୍ଷର ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ସରକାରୀ ବ୍ୟବସ୍ଥା ହୋଇଥିଲା। ହେଲେ ଚଳିତବର୍ଷ ଏପରି ଯାତ୍ରୀ ବି ପହଞ୍ଚୁଛନ୍ତି ଯେଉଁମାନେ ପଞ୍ଜିକରଣ ବି କରି ନାହାନ୍ତି। ତେବେ ଯାତ୍ରୀଙ୍କ ଭିଡକୁ ଦେଖି ହରିଦ୍ୱାର ପୂର୍ବରୁ ଲୋକଙ୍କୁ ଅଟକାଇ ଦିଆଯାଉଛି। ଯାହା ଦ୍ୱାରା ଉପରେ ଯାତ୍ରୀଙ୍କ ଭିଡ କମ ହେବ ବୋଲି ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.