ଜାତିପ୍ରଥାକୁ ନେଇ ଶବକୁ ମିଳିଲା ନାହିଁ ଚାରି କାନ୍ଧ, କୁଆଡ଼େ ଯାଉଛି ଆମ ମଣିଷ ପଣିଆ ?
21/09/2023 at 7:15 PM

ବରଗଡ 21/09 : ଆଜି ବି ସମାଜରେ ଥିବା ଜାତିପ୍ରଥା ଯୋଗୁ ଅନେକ ସମସ୍ୟା ଦେଖା ଦେଉଛି । ହେଲେ ଏହାରି ଭିତରେ ମରିଯାଉଛି ଆମ ମଣିଷ ପଣିଆ। ସବୁଠୁ ବଡ ସମସ୍ୟା ହେଉଛି ମଣିଷ ମରିଯିବା ପରେ ବି ତାକୁ କାନ୍ଧ ଦେବାକୁ କେହି ଆସୁ ନାହାଁନ୍ତି। ଯାହା ଆମ ସମାଜ ପାଇଁ ଚିନ୍ତା ଓ ଲଜ୍ଜାର କଥା । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗିଧମାଲ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଦୀର୍ଘ ଦିନରୁ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ଧୁବୁନୀ ସେଠ୍ ଅସୁସ୍ଥ ହେବା ଯୋଗୁ ଗ୍ରାମର ସଚେତନ ଯୁବକ ବିରେନ୍ଦ୍ର କୁମାର ପ୍ରଧାନ ତାଙ୍କୁ ତୁରନ୍ତ ପଦ୍ମପୁର ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ଡାକ୍ତର ଉନ୍ନତ ଚିକିତ୍ସା ପାଇଁ ପଠାଇଥିଲେ। ହେଲେ ଏହି ସମୟରେ ତାଙ୍କର ହଠାତ୍ ମୃତ୍ୟୁ ହୋଇଥିଲା ।
ଶବକୁ ନେଇ ଗାଁରେ ପହଞ୍ଚିଥିଲେ ବିରେନ୍ଦ୍ର । ହେଲେ ଏଇଠି ଦେଖା ଦେଲା ସମସ୍ୟା । ଧୁବୁନୀଙ୍କ ଜାତି ତାଙ୍କ ମଶାଣି ଯିବା ରାସ୍ତାରେ ପ୍ରତିବନ୍ଧକ ସାଜିଲା । କେହି ବି ତାଙ୍କ ସମ୍ପର୍କୀୟ କୋକେଇକୁ କାନ୍ଧ ଦେବାକୁ ଆସିଲେ ନାହିଁ । ଜାତିରେ ଥିବା ପ୍ରଥାକୁ ପାଳନ କରିନଥିବାରୁ ଶବକୁ କେହି ନ ଛୁଇଁବାରୁ ବିରେନ୍ଦ୍ର ସମାଜସେବୀ ସୁଶାନ୍ତ ପଣ୍ଡାଙ୍କୁ ଫୋନରେ ଯୋଗାଯୋଗ କରିଥିଲେ । ସୁଶାନ୍ତ ଓ ତାଙ୍କ ସାଥୀ ଶେଷଦେବ ଦାସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ।ସେହି ଗ୍ରାମର ଜଣେ ସଚେତନ ଯୁବକ ଅରୁଣ ପଧାନଙ୍କ ସହଯୋଗରେ ତିନି କାନ୍ଧ ଦେଇ ପ୍ରାୟ ତିନି କିଲୋମିଟର ଜଙ୍ଗଲ ରାସ୍ତାରେ ଯାଇ ଶବ ସତ୍କାର କରିଥିଲେ ।
କୁହାଯାଏ ମଣିଷ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ । ହେଲେ ସେହି ମଣିଷକୁ ମୃତ୍ୟୁ ପରେ ଚାରି କାନ୍ଧ ବି ନମିଳିବା ଦୁର୍ଭାଗ୍ୟ ଆଉ ବିଡମ୍ବନା ଛଡ଼ା କିଛି ନୁହେଁ । ଆଜି ବି ସମାଜରେ ଥିବା ଜାତିପ୍ରଥା ପାଇଁ ଧୁବୁନୀଙ୍କ ଭଳି ଅନେକ ଲୋକଙ୍କୁ ମୃତ୍ୟୁ ପରେ ପ୍ରତାଡନା ଓ ତିରସ୍କାରର ସାମ୍ନା କରିବାକୁ ପଡୁଛି ।