ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ; ଦିନକ ପାଇଁ ସ୍କୁଲ ବନ୍ଦ

Published By : Prameya-News7 Bureau | August 13, 2018 IST

ହିମାଚଳପ୍ରଦେଶ ୧୩/୮ : ହିମାଚଳପ୍ରଦେଶର ବିଭିନ୍ନ ଜିଲ୍ଲାରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୁସ୍ଖଳନ ମଧ୍ୟ ହୋଇଛି । ଫଳରେ ବିଭିନ୍ନ ସ୍ଥାନରେ ରାସ୍ତାଘାଟ ବନ୍ଦ ଯୋଗୁଁ ଶହ ଶହ ଗାଡି ଅଟକି ରହିଛି । ସୋଲାନ ଜିଲ୍ଲାର ଚଣ୍ଡିଗଡ-ମନାଲି ୨୧ ନମ୍ବର ଜାତୀୟ ରାଜପଥ ମଣ୍ଡି ସହର ନିକଟରେ ଗାଡି ଚଳାଚଳକୁ ବନ୍ଦ କରିଦିଆଯାଇଛି । ସେହିପରି ଚଣ୍ଡିଗଡ-ସିମଲା ୫ନମ୍ବର ଜାତୀୟ ରାଜପଥ ଜବଲିଠାରେ ମଧ୍ୟ ବନ୍ଦ ହୋଇଛି । କଣ୍ଡାଘାଟ ଅଞ୍ଚଳରେ ଭୁସ୍ଖଳନ ଯୋଗୁଁ ୫ଜଣ ମାଟି ଅତଡା ତଳେ ଫସିଯାଇଥିଲେ । ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମଣ୍ଡି ଜିଲ୍ଲାର ନେହରି ସହରରେ ସର୍ବୋଚ୍ଚ ୨୩୫ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଧର୍ମଶାଳାରେ ୧୧୦ମିମି, ସିମଲାରେ ୧୦୦ମିମି, କସୌଳିରେ ୯୮ମିମି, ସୋଲାନରେ ୯୪ମିମି, ଡାଲହାଉସିରେ ୫୭ମିମି ବର୍ଷା ରେକର୍ଡ କରାଯାଇଛି । ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଲଗାଣ ବର୍ଷା ଯୋଗୁଁ ସିମଲା, ମଣ୍ଡି, ସୋଲାନ ଏବଂ ଉନାରେ ସମସ୍ତ ସ୍କୁଲ ସହ ଶିକ୍ଷାନୁଷ୍ଠାନକୁ ଆଜି ଦିନକ ପାଇଁ ବନ୍ଦ କରିଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.