ଡୁଡୁମା ଜଳପ୍ରପାତରେ ଜମିଲା ଇଟାଲି ପର୍ଯ୍ୟଟକଙ୍କ ଭିଡ଼
5/01/2023 at 5:58 PM

ଲମତାପୁଟ ୦୫/୦୧: ଡୁଡୁମା ଜଳ ପ୍ରପାତକୁ ବିଦେଶୀ ପର୍ଯ୍ୟଟକଙ୍କ ଶୁଅ ଛୁଟିଛି। କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଡୁଡୁମା ଜଳପ୍ରପାତରେ ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ କୀର୍ତ୍ତିରାଜି ଉପଭୋଗ କରିବାକୁ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତିl ଗୁରୁବାର ଏଠାରେ ବିଦେଶୀ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ଜମିଥିଲା। ପ୍ରାୟ ୧୦୦ ଜଣ ବିଦେଶୀ ପର୍ଯ୍ୟଟକ ଡୁଡୁମା ଜଳ ପ୍ରପାତରେ ଆସି ପହଞ୍ଚିଛନ୍ତି। ସେମାନେ ସମସ୍ତେ ଇଟାଲୀରୁ ଆସିଥିବ ଜଣାପଡ଼ିଛି।

ଏହି ପର୍ଯ୍ୟଟକମାନେ ଶୀତୁଆ ସକାଳରେ ସବୁଜିମା ଭରିରହିଥିବା ଡୁଡୁମା ଜଳ ପ୍ରପାତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଛନ୍ତିl ଏହା ପରେ ସେମାନେ ଅନାକାଡେଲି ସପ୍ତାହିକ ହାଟକୁ ଯାଇଥିଲେ। ସେଠାରେ ବଣ୍ଡା ମହିଳାଙ୍କୁ ଦେଖିବା ସହ ସେମାନେ ବ୍ୟବହାର କରୁଥିବା ଅଳଙ୍କାର କିଣିବା ଏବଂ ସେମାନଙ୍କ ବେଶଭୁଷାର ଚିତ୍ର କ୍ୟାମେରାରେ କଏଦ କରିଛନ୍ତିl ଡୁଡୁମାକୁ ଏତେ ପରିମାଣରେ ବିଦେଶୀ ପର୍ଯ୍ୟଟକଙ୍କ ଆସିବା ଦେଖି ଆହୁରି ପର୍ଯ୍ୟଟକ ଆସିବା ନେଇ ଜିଲ୍ଲା ପ୍ରଶାସନ ଆଶା ପ୍ରକାଶ କରିଛି। କାରଣ ଡୁଡୁମାର ସୌନ୍ଦର୍ଯ୍ୟ ବିଦେଶ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l