ଦୁବାଇ କାର୍ ଡ୍ରାଇଭରଙ୍କ ଅଜବ ଭାଷାଜ୍ଞାନ, ୧୦ଟି ଭାଷାରେ ହେଉଛନ୍ତି କଥା, ଶିଖିଛନ୍ତି ଗୁଗଲ ଟ୍ରାନ୍ସଲେଟ ଓ ଅନଲାଇନ୍ ଲାଙ୍ଗୁଏଜ ଲର୍ଣ୍ଣିଙ୍ଗ ଆପରୁ

Published By : Prameya-News7 Bureau | October 13, 2020 IST

ନୂଆଦିଲ୍ଲୀ ୧୩/୧୦: ଗୋଟେ କି ଦୁଇଟା ନୁହେଁ କହିପାରୁଛନ୍ତି ଦଶଟି ଭିନ୍ନ ଭିନ୍ନ ଭାଷା। ଇଂରାଜି, ହିନ୍ଦୀ, ଆରବୀୟ, ତାଗଲୋଗ, ମାଲାୟାଲମ, ଚାଇନିଜ, ରୁଷୀୟ, ଫରାସୀ, ଉର୍ଦୁ, ପାସ୍ତୋ ଭଳି ୧୦ଟି ଭାଷା କହିପାରୁଛନ୍ତି ଦୁବାଇର କ୍ୟାବ ଡ୍ରାଇଭର ହୁସେନ ଶୟଦ। ସ୍ପଷ୍ଟ ତଥା ନିର୍ଭୁଲ ଭାବେ ସବୁ ଭାଷାକୁ ସେ ଭଲ ଭାବେ କହିପାରନ୍ତି। ତାଙ୍କର ଏଭଳି ଭାଷାଜ୍ଞାନ  ଯୋଗୁ ସେ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।  

୩୩ ବର୍ଷୀୟ ହୁସେନ ୟୁଏଇରେ ମେଡିସିନ୍ ଶିକ୍ଷା ନେଉ ଥିଲେ। ତାଙ୍କ ପତ୍ନୀଙ୍କର ହୃଦ ସମସ୍ୟା ଥିଲା। ସ୍ତ୍ରୀଙ୍କ ଚିକିତ୍ସା କରିବା ପାଇଁ ୟୁଏଇ ଛାଡ଼ିବା ନିଷ୍ପତ୍ତି ନେଲେ। ପିଲାଟି ବେଳୁ ହୁସେନଙ୍କ ଇଚ୍ଛା ଥିଲା ଡାକ୍ତର ହେବାକୁ। କଲେଜ ପଢ଼ାର ତୃତୀୟ ମାସରେ ସେ ଦୁବାଇ ଆସିଲେ ସ୍ତ୍ରୀଙ୍କ ଚିକିତ୍ସା ନିମନ୍ତେ।

ଭାଷା ପ୍ରତିବନ୍ଧ ହଟାଇବା ତଥା ଅନ୍ୟ ଲୋକଙ୍କ ସହ ଭଲ ସମ୍ବନ୍ଧ ରକ୍ଷା କରିବା ଉଦ୍ଦେଶ୍ୟ​‌ରେ ସେ ବିଭିନ୍ନ ଭାଷା ଶିକ୍ଷା କରିବାକୁ ଚାହିଁଲେ। ତେବେ ଏ ସବୁ ପାଇଁ କିଛି ଲାଙ୍ଗୁଏଜ କୋର୍ସ କରି ନାହାନ୍ତି ହୁସେନ। ସମସ୍ତ ଭାଷା ସେ ଗୁଗଲ ଟ୍ରାନ୍ସଲେଟ୍ ଓ ଅନଲାଇନରେ ଉପଲବ୍ଧ ଥିବା ଲାଙ୍ଗୁଏଜ ଲର୍ଣ୍ଣିଙ୍ଗ ଆପ୍ ମାଧ୍ୟମରେ ଶିଖିଛନ୍ତି।

ତାଙ୍କ ମତ ଯେ ଜଣେ ଅଜଣା ଲୋକଙ୍କ ସହ ତାଙ୍କ ଭାଷାରେ କଥା ହେଲେ ସେମାନେ ଆପେ ଆପେ ଖୁସି ହୋଇଯାଇଥାନ୍ତି। କେବଳ ଏତିକି ନୁହେଁ ଏହା ସହ ପରସ୍ପର ମଧ୍ୟରେ ଭଲ ବୁଝମଣା ଓ ପରସ୍ପର ପ୍ରତି ସମ୍ମାନ ମଧ୍ୟ ରହିଥାଏ। ଅନ୍ୟ ଜଣକଙ୍କ ସହ ବୁଝମଣା ଭଲ ରଖିବା ତଥା ସମ୍ମାନ ଦେବା ତାଙ୍କୁ ବିଭିନ୍ନ ଭାଷା ଶିଖିବା ଦିଗରେ ତାଙ୍କୁ ପ୍ରେରଣା ଯୋଗାଇ ଥିବା ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.