ଅଲିମ୍ପିକ୍‌ ବିଜେତାଙ୍କ ଉପରେ ଟଙ୍କା ବର୍ଷା, ଶ୍ରୀଜେଶଙ୍କୁ ମିଳିବ ୧ କୋଟି, ଘୋଷଣା କଲେ ଦୁବାଇର ବ୍ୟବସାୟୀ

Published By : Prameya-News7 Bureau | August 09, 2021 IST

ନୂଆଦିଲ୍ଲୀ, ୦୯/୦୮: ଟୋକିଓ ଅଲିମ୍ପିକ୍‌ ୨୦୨୦ ରେ ଭିରତର ପ୍ରଦର୍ଶନକୁ ନେଇ ଦେଶବାସୀ ବେଶ୍‌ ଖୁସି ଥିବା ବେଳେ ଏବେ ବାହାର ଦେଶରୁ ମଧ୍ୟ ଶୁଭେଚ୍ଛା ଆସିବାରେ ଲାଗିଛି । ପଦକ ବିଜେତାଙ୍କ ଉପରେ ଟଙ୍କା ବର୍ଷା ହେବାରେ ଲାଗିଛି । ହରିୟାଣା ସରକାର ଭାରତ ପାଇଁ ଇତିହାସ ରଚିଥିବା ତଥା ଜାଭ୍‌ଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନିରଜ ଚୋପ୍ରାଙ୍କୁ ୬ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଏହାଛଡ଼ା ଦେଶର ବିଭିନ୍ନ ଅନୁଷ୍ଠାନ ମଧ୍ୟ ପୁରଷ୍କାର ବାବଦକୁ ବିଜେତାଙ୍କୁ ଟଙ୍କା ଦେବା ପାଇଁ ଘୋଷଣା କରୁଛନ୍ତି । ଏହାରି ମଧ୍ୟରେ ବିହାର ଦେଶ ଅର୍ଥାତ ଦୁବାଇରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀ ଭାରତୀୟ ହକି ଟିମ୍‌ର ଗୋଲ୍‌ ରକ୍ଷକ ପିଆର୍‌ ଶ୍ରୀଜେଶ୍‌ଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି ।

ଦୁବାଇର ଭିପିଏସ୍‌ ହେଲ୍‌ଥ କେୟାରର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. ସାମଶୀର ଭୟାଲିଲ୍‌ ସୋମବାର ଏନେଇ ଘୋଷଣା କରିଛନ୍ତି । ଭାରତୀୟ ହକି ଦଳର ଷ୍ଟାର୍‌ ଗୋଲ୍‌ କିପର୍‌ଙ୍କୁ ୧ କୋଟି ଦେବେ ବୋଲି କହିଛନ୍ତି । ୪୧ ବର୍ଷ ପରେ ଭାରତକୁ ହକିରେ ଅଲିମ୍ପିକ୍‌ ପଦକ ଦେବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କୁ ଏହି ଅର୍ଥରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

ଡ. ସାମଶୀର ଭୟାଲିଲ୍‌ ଦୁବାଇରେ ଏନ୍‌ଆର୍‌ଆଇ ଭାବେ ବ୍ୟବସାୟ କରନ୍ତି । ସେ ବର୍ତ୍ତମାନ ଖେଳକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖାଯାଇଛି ।

ଜାଣନ୍ତୁ ଶ୍ରୀଜେଶଙ୍କ ବିଷୟରେ କିଛି ଜଣା-ଅଜଣା କଥା-

ମ୍ୟାଚ୍‌ ଶେଷ  ହେବାକୁ ବାକି ଥିଲା ଆଉ କେଇ ସେକେଣ୍ଡ। ପ୍ରାୟ ଏହି ସମୟରେ ଭାରତୀୟ ଟିମ୍‌ ଭୁଲ କରିବସେ। ଏଥର ମଧ୍ୟ ଡିଫେନ୍ସରେ ପୁଣି ଥରେ ଭୁଲ ହୋଇଥିଲା। ଜର୍ମାନ ଷ୍ଟ୍ରାଇକରକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ମ୍ୟାଚ୍‌ ଶେଷ ହେବାକୁ ବାସ କିଛି ସମୟ ବାକି ଥିଲା। ହୃଦ ସ୍ପନ୍ଦନ ବଢ଼ିଚାଲିଥିଲା। ଭାରତ ପାଖରେ ୫-୪ର ଆଗୁଆ ସ୍କୋର ଥିଲା। ଜର୍ମାନୀ ଗୋଲ କରିଥିଲେ ସ୍କୋର ବରାବର ହୋଇଯାଇଥାନ୍ତା ଏବଂ ପେନାଲ୍ଟି ସୁଟଆଉଟକୁ ଯାଇଥାନ୍ତା। ତାପରେ କିଛି ବି ହୋଇପାରିଥାନ୍ତା।

କିନ୍ତୁ ଏତିକି ବେଳେ ଶ୍ରୀଜେଶ କାନ୍ଥ ଭଳି ଛିଡ଼ା ହୋଇଯାଇଥିଲେ। ବଲ୍‌ ଶ୍ରୀଜେଶଙ୍କ ଗ୍ଲୋଭସ୍‌ ସହ ଧକ୍କା ହୋଇ ଛିଟକି ପଡ଼ିଥିଲା। ଏହି ସମୟରେ ହୁଟର ବାଜି ଉଠିଥିଲା….ଏହାର ଶବ୍ଦ ଉଚ୍ଚ ଥିଲା କିନ୍ତୁ ଭାରତୀୟ ଖେଳାଳିଙ୍କ ଜୋଶ ଆହୁରି ଉପରେ ଥିଲା। ଏହା ପରେ ସମସ୍ତ ଖେଳାଳି ପାରାଜୁ ରବିନ୍ଦ୍ରନ୍‌ ଶ୍ରୀଜେଶଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ। ତେବେ ଆଜି ଭାରତୀୟ ପୁରୁଷ ହକି ଟିମ୍‌ ଟୋକିଓ ଅଲିମ୍ପିକ୍‌ରେ ଇତିହାସ ରଚିଛି। ବ୍ରୋଞ୍ଜ ମେଡାଲ ଜିତି ୪୧ ବର୍ଷର ରେକର୍ଡ ଭାଙ୍ଗିଛି ଟିମ୍‌। କିନ୍ତୁ ଏଥିପାଇଁ ଆଜିର ମ୍ୟାଚ୍‌ରେ ହିରୋ ପିଆର ଶ୍ରୀଜେଶଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୁରୁବାର ଭାରତୀୟ ପୁରୁଷ ହକି ଟିମ୍‌ ଭାରତ ପାଇଁ ବ୍ରୋଞ୍ଜ ମେଡାଲ ଜିତିଛି। ଫାଇନାଲ୍‌ ହ୍ବିସିଲ୍‌ ବାଜିବା ମାତ୍ରେ ପିଆର ରାଜେଶ ଗୋଲପୋଷ୍ଟ ଉପରୁକୁ ଚଢ଼ିଯାଇଥିଲେ। ଯାହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

‘ଗୋଲପୋଷ୍ଟରେ ସାରିଛି ସବୁ ସମୟ’
ତାହା ମୋର ସ୍ଥାନ। ମୋ ଜୀବନର ସବୁ ସମୟ ସେଠାରେ ବିତିଛି। ମୁଁ କେବଳ ଦେଖାଇବାକୁ ଚାହୁଁଥିଲି ବର୍ତ୍ତମାନ ପୋଷ୍ଟର ମାଲିକ ମୁଁ। ଏମିତି କରି ମୋର ଦୁଃଖ, ବିଶାଦ ପୋଷ୍ଟ ଆଉ ମୋ ଭିତରେ ସେୟାର କରୁଥିଲି। ପୋଷ୍ଟ ମଧ୍ୟ ସମ୍ମାନ ପାଇବାର ହକଦାର ବୋଲି ଶ୍ରୀଜେଶ କହିଛନ୍ତି।

୨୦୦୬ରୁ ସିନିୟର ଖେଳାଳିଙ୍କ ସହ
ପିଆର ଶ୍ରୀଜେଶଙ୍କୁ  ସାଥି ଖେଳାଳି ଟିମ୍‌ର ଏକ ମଜଭୁତ କାନ୍ଥ ବୋଲି ମାନନ୍ତି। ଭାରତୀୟ ହକି ଟିମ୍‌ର କ୍ୟାପ୍ଟେନ ମନପ୍ରୀତ ସିଂହ ନିକଟରେ କହିଥିଲେ, ‘ଆପଣ ଦେଖିପାରୁଥିବେ ସେ ସର୍ବଦା ଆମକୁ ଜୀବନଦାନ ଦେଉଛନ୍ତି ତେଣୁ ତାଙ୍କୁ ଓ୍ବାଲ୍‌ ବୋଲି କହୁ।’ ଶ୍ରୀଜେଶ ହକି ଟିମ୍‌ର ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ଜଣେ। ସେ ୨୦୦୬ରୁ ଭାରତୀୟ ସିନିୟର ଟିମ୍‌ରେ ରହିଆସିଛନ୍ତି।

ରହିସାରିଛନ୍ତି ଟିମ୍‌ ଇଣ୍ଡିଆ କ୍ୟାପ୍ଟେନ
ଶ୍ରୀଜେଶ ଅନେକ ବଡ଼ ମ୍ୟାଚ୍‌ରେ ଭାରତୀୟ ଟିମ୍‌ର ଅଧିନାୟକ ରହିଛନ୍ତି। ୨୦୧୬ରେ ତାଙ୍କୁ ଭାରତୀୟ ହକି ଟିମ୍‌ର ଅଧିନାୟକ ଦାୟିତ୍ବ ମିଳିଥିଲା। ରିଓ ଅଲିମ୍ପିକ୍‌ରେ ତାଙ୍କ ନେତୃତ୍ବରେ ଟିମ୍‌ କ୍ବାର୍ଟର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା​‌। ୨୦୧୬ରେ ଚାମ୍ପିୟନ୍ସ ଟ୍ରଫିରେ ଭାରତକୁ ସିଲଭର ମେଡାଲ ଦେଇଥିଲେ ଶ୍ରୀଜେଶ। ୨୦୧୧ରେ ସେ ପାକିସ୍ତାନ ବିପକ୍ଷରେ ଭାରତକୁ ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ବିଜେତା କରାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ୨୦୧୪ ଏବଂ ୨୦୧୮ରେ ଶ୍ରୀଜେଶ ‘ଗୋଲକିପର ଦ ଟୁର୍ଣ୍ଣାମେଣ୍ଟ’ ହୋଇଥିଲେ।

୨୦୧୭ରେ ପାଇଛନ୍ତି ପଦ୍ମଶ୍ରୀ
କେରଳରେ ଜନ୍ମ ନେଇଥିବା ଶ୍ରୀଜେଶ ପ୍ରଥମରୁ ହକି ପ୍ରତି ଇଚ୍ଛୁକ ନଥିଲେ। ସେ ଭଲିବଲ୍‌ ଏବଂ ଲଙ୍ଗ ଜମ୍ପରେ ବେଶ ପାରଙ୍ଗମ ଥିଲେ। କିନ୍ତୁ ପରେ ଭାରତୀୟ ଜୁନିୟର ହକି ଟିମ୍‌ରେ ସ୍ଥାନ ପାଇଥିଲେ । ସେବେଠୁ ସେ ପଛକୁ ବୁଲି ଚାହିଁନାହାନ୍ତି। ହକିରେ ଅତୁଳନୀୟ ଯୋଗଦାନ ପାଇଁ ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.