ଜଳେଶ୍ଵର ୦୯।୧୨: ମାତାଲ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ। ଖଣ୍ଡା ଓ କଟୁରୀ ଧରି ଲୋକଙ୍କ ଉପରେ କଲେ ଆକ୍ରମଣ। ଏଥିରେ ୪ ଜଣ ଆହତ ହୋଇଛନ୍ତି। ମାତାଲ ଫାର୍ମାସିଷ୍ଟଙ୍କୁ ଧରିବାକୁ ପୁଲିସକୁ ବି ନାକେଦମ ହେବାକୁ ପଡିଛି। ଏହି ଘଟଣା ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡିଦା ଗ୍ରାମରେ ଘଟିଛି।
ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡିଦା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରର ଫାର୍ମାଷିଷ୍ଟ ଶୁବାଶିଷ ଟୁଡୁ ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଖଣ୍ଡା ଏବଂ ତେଲେଙ୍ଗା କଟୁରୀ ଧରି ଲୋକମାନଙ୍କୁ ମାରିବା ପାଇଁ ଗୋଡାଇ ଥିଲେ। ଏଥିରେ ୪ଜଣ ଗ୍ରାମବାସୀ ଆହତ ହୋଇଥିବା ଜଣା ପଡିଛି।
ତେବେ ନିଶାସକ୍ତ ଫାର୍ମାଷିଷ୍ଟଙ୍କୁ କାବୁ କରିବା ପାଇଁ ଗ୍ରାମବାସୀ ମାନେ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ସିଂଲା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଶାସକ୍ତ ଫାର୍ମାଷିଷ୍ଟଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେ ପୋଲିସକୁ ବି ଆକ୍ରମଣ କରିବାକୁ ଗୋଡାଇ ଥିଲେ। ତେବେ କିଛି ସମୟ ପରେ କୌଶଳ କ୍ରମେ ପୋଲିସ ନିଶାସକ୍ତ ଫାର୍ମାଷିଷ୍ଟଙ୍କୁ କାବୁ କରି ଥାନା କୁ ନେଇ ଯାଇଥିଲେ। ଉକ୍ତ ଫାର୍ମାଷିଷ୍ଟ ଜଣକ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଭିଆଇ ଥିବା ସ୍ଥାନୀୟ ଲୋକ କହିଛନ୍ତି।