ନୂଆଦିଲ୍ଲୀ: ନ୍ୟୁୟର୍କ ଫେରନ୍ତା ଏୟାର ଇଣ୍ଡିଆ ବିମାନରେ ଜଣେ ବୟସ୍କା ମହିଳାଙ୍କ ଉପରେ ନିଶାଶକ୍ତ ବ୍ୟକ୍ତିଙ୍କ ପରିଶ୍ରା ଘଟଣାରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିବା ବେଳେ ସେଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ଗତବର୍ଷ ଡିସେମ୍ବର ୬ରେ ଘଟିଥିଲା।
ଜଣେ ମଦ୍ୟପ ବ୍ୟକ୍ତି ମହିଳା ଯାତ୍ରୀଙ୍କର କମ୍ଭଳ ଉପରେ ପରିସ୍ରା କରିଦେଇଥିଲେ। ପ୍ୟାରିସ୍ରୁ ଦିଲ୍ଲୀ ଫେରୁଥିବା ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଥିଲା। ତେବେ ଅଭିଯୁକ୍ତ ଜଣକ ଲିଖିତ କ୍ଷମାପ୍ରାର୍ଥନା କରିବା ପରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା ବୋଲି ବିମାନ କର୍ମଚାରୀଙ୍କ ପକ୍ଷରୁ ସୂଚନା ମିଳିଛି। ତେବେ ଅଭିଯୁକ୍ତକୁ ଧରାଯାଇଥିଲା। କିନ୍ତୁ ସେ କେଉଁ କ୍ଲାସ୍ରେ ଯାତ୍ରା କରୁଥିଲେ ସେ ନେଇ କୌଣସି ସୂଚନା ମିଳି ନାହିଁ।
ସେଦିନ ସକାଳ ପ୍ରାୟ ୯.୦ରେ ବିମାନ ଦିଲ୍ଲୀରେ ପହଞ୍ଚିବା ପରେ ମଦ୍ୟପ ଯାତ୍ରୀଙ୍କର କାରନାମା ବିଷୟରେ ଏୟାରପୋର୍ଟ ସୁରକ୍ଷାକର୍ମୀଙ୍କୁ ଜଣାଯାଇଥିଲା। ଏହାପରେ ସେଣ୍ଟ୍ରାଲ ସିକ୍ୟୁରିଟି ଫୋର୍ସର ଯବାନମାନେ ଅଭିଯୁକ୍ତକୁ ଧରିଥିଲେ। ପୀଡ଼ିତା ଓ ଅଭିଯୁକ୍ତଙ୍କ ମିଳିତ ସହମତିରେ ଦୋଷୀକୁ ଛଡ଼ାଯାଇଥିଲା। ହେଲେ ତାଙ୍କୁ ଏକ ଲିଖିତ କ୍ଷମାପ୍ରାର୍ଥନା କରିବାକୁ ପଡ଼ିଥିଲା। ଫଳରେ ମହିଳା ଯାତ୍ରୀ ଜଣଙ୍କ ଅଭିଯୁକ୍ତ ବିରୋଧରେ ଥାନାରେ ମାମଲା କରି ନଥିଲେ।
ସେହିପରି ଅନ୍ୟ ଏକ ଘଟଣାରେ ପୁଲିସ ଏବେ ବି ଅଭିଯୁକ୍ତକୁ ଖୋଜୁଛି। ନଭେମ୍ବର ୩୦ ତାରିଖରେ ଘଟିଥିଲା। ଏୟାର ଇଣ୍ଡିଆର ଏକ ବିମାନ ୧୪୦ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଅଭିମୁଖେ ଆସୁଥିଲା। ମଧ୍ୟାହ୍ନ ଭୋଜନ ପରେ ଯେତେବେଳେ ବିମାନର ଲାଇଟ୍ ବନ୍ଦ କରାଗଲା ସେତେବେଳେ ଏଳି ଅଭଦ୍ରାମୀ କରିଥିଲେ ମଦୁଆ ବ୍ୟକ୍ତି। ମହିଳାଙ୍କ ଶିଟ୍ ପାଖକୁ ଆସି ଚେନ୍ ଖୋଲି ତାଙ୍କ ଉପରେ ପରିସ୍ରା କରିଥିଲେ। ଘଟଣାରେ ପୁଲିସ ଟିମ୍ ଗଠନ କରି ଅଭିଯୁକ୍ତକୁ ଖୋଜୁଛି।