ପୁଷ୍ପା ଫିଲ୍ମ ଷ୍ଟାଇଲରେ ହେଉଥିଲା ଡ୍ରଗ୍ସ ଚୋରାଚାଲାଣ; ପୋଲିସ ଏଏସଆଇ ସମେତ ୬ ଗିରଫ

Published By : Prameya-News7 Bureau | March 02, 2022 IST

ଗୁରୁଗ୍ରାମ ୦୨/୦୩ : ହରିଆଣାର ପଲୱଲ ପୋଲିସ ଏକ ଗୁପ୍ତ ସୂଚନା ଆଧାରରେ ୬ ଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରଛି । ସେହି ୬ଜଣ ବ୍ୟବସାୟୀଙ୍କ ମଧ୍ୟରେ ଜଣେ ପୋଲିସ  ଏଏସଆଇ ମଧ୍ୟ ସାମିଲ ଅଛନ୍ତି । ପୁଷ୍ପା ଚଳଚ୍ଚିତ୍ରରେ ଯେପରି ଲାଲ ଚନ୍ଦନ କାଠ ଚୋରାଚାଲାଣ ହେଉଥିଲା ଠିକ ସେହିପରି ଏହି ବ୍ୟବସାୟୀମାନେ ଡ୍ରଗ୍ସ ଚୋରା ଚାଲାଣ କରୁଥିଲେ ।

ଡ୍ରଗ୍ସ ବ୍ୟବସାୟୀମାନେ ଏକ ଟ୍ରକରେ ନଡ଼ିଆ ତଳେ ଗଞ୍ଜେଇ ଲୁଚାଇ ଓଡିଶାର ରାୟଗଡ଼ରୁ ହରିଆଣାର ନୁହ ଓ ପଲବଲ ଅଞ୍ଚଳକୁ ନେଇ ଯାଉଥିଲେ। ଗିରଫ ହୋଇଥିବା ବ୍ୟବସାୟୀମାନେ ଏଏସଆଇ ସୋଏବ, ଆସିଫ, ମହମ୍ମଦ, ଆସ ମହମ୍ମଦ, ଲଖପତ ଓ ତୌଫିକ ବୋଲି ପୋଲିସ କହିଛି । ଏହି ଡ୍ରଗ୍ସ ବ୍ୟବସାୟୀ ମାନଙ୍କଠାରୁ ପୋଲିସ ୧ହଜାର ୩୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।

ପଲୱଲ ପୋଲିସ ଅଧୀକ୍ଷକ ରାଜେଶ ଦୁଗ୍ଗଲ କହିଛନ୍ତି ଓଡ଼ିଶାରୁ ମେୱାତ ଯାଉଥିବା ଏକ ଟ୍ରକରେ ନଡ଼ିଆ ତଳେ ଗଞ୍ଜେଇ ଲୁଚାଇ ନିଆଯାଉଛି ବୋଲି ତାଙ୍କୁ ଏକ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସେମାନେ ହଡଲ ପାଖରେ ରାଜପଥରେ ବ୍ୟାରିକେଟ ଲଗାଇ ସବୁ ଟ୍ରକକୁ ଯାଞ୍ଚ କରିଥିଲେ । ଏହି ସମୟରେ ସେମାନେ ଗୋଟିଏ ଟ୍ରକରୁ ୧ହଜାର ୩୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ । ସେ କହିଛନ୍ତି ସେହି ଟ୍ରକକୁ ଗୋଟିଏ କାର ସୁରକ୍ଷା ଦେଉଥିଲା । ସେହି କାରରେ ଦିଲ୍ଲୀ ପୋଲିସର ଏଏସଆଇ ଶୋଏବ ଥିଲେ । ତାପରେ ପୋଲିସ ସୋଏବଙ୍କ ସହିତ ୬ ଜଣଙ୍କୁ ଗିରଫ କରିଥିଲେ। ଜବତ ଗଞ୍ଜେଇକୁ ଓଡ଼ିଶାର ରାୟଗଡ଼ ଜିଲ୍ଲାରୁ ହରିଆଣାର ପଲୱଲ ଅଞ୍ଚଳକୁ ନିଆଯାଉଥିଲା ବୋଲି ଗିରଫ ହୋଇଥିବା ବ୍ୟବସାୟୀମାନେ କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.