କୋଭିଡ ନୂଆ ଷ୍ଟ୍ରେନ୍ B 1.1.7କୁ ଭାକ୍ସିନ ରୋକିପାରୁଛି କି ନା ? ଚିନ୍ତାରେ ଔଷଧା ନିର୍ମାତା

Published By : Prameya-News7 Bureau | December 22, 2020 IST

ନୂଆଦିଲ୍ଲୀ ୨୨।୧୨: କରୋନା ଭାଇରସ ମହମାରୀ ବିଶ୍ୱରେ ବ୍ୟାପିବାର ବର୍ଷଟିଏ ବିତି ଯାଇଛି। ଭୂତାଣୁ ମୁକାବିଲା ଲାଗି ଚିକିତ୍ସା ବିଜ୍ଞାନ ପ୍ରତିଷେଧକ ଟିକା ମଧ୍ୟ ବିକାଶ କରିଛି। ପୂର୍ଣ୍ଣ ଟିକାକରଣ ଲାଗି ଏପର୍ଯ୍ୟନ୍ତ ବିଶ୍ୱରେ ଉଦ୍ୟମ ଆରମ୍ଭ ହୋଇନଥିବା ବେଳେ କୋଭିଡ ଭୂତାଣୁର ନୂଆ ପ୍ରକାର ନେଇ ବ୍ରିଟେନର ଘୋଷଣା ସମସ୍ତଙ୍କ ନିଦ ହଜେଇ ଦେଇଛି। 

ଭୂତାଣୁର ଏହି ପ୍ରକାରକୁ B 1.1.7 ଲାଇନେଜ୍ କୁହାଯାଉଛି। ଯାହା ପୂର୍ବ ଭୂତାଣୁ ଅପେକ୍ଷା ହୁଏତ ୭୦ ପ୍ରତିଶତ ଅଧିକ ସଂକ୍ରାମକ ଓ  ଶିଶୁ ଏବଂ ଯୁବ ବର୍ଗଙ୍କ ଲାଗି ଘାତକ ହୋଇପାରେ।ଏହା ଏବେ  ବିଶ୍ୱରେ ଭାକ୍ସିନ ନିର୍ମାତାଙ୍କୁ ସେମାନଙ୍କ ଭାକ୍ସିନ୍‌ ନେଇ ଚିନ୍ତାରେ ପକାଇ ଦେଇଛି। ଗୋଟିଏ ଟିକା ଲାଗି ବର୍ଷଟିଏ ସମୟ ଲାଗିଯାଇଛି। ଏଥିରେ ଭୂତାଣୁର ନୂଆ ମ୍ୟୁଟେସନର  ଏହା ଜବାବ ହୋଇପାରିବ କି ନା ସେଥିପାଇଁ ଔଷଧ ନିର୍ମାତାମାନେ ପୁଣି ପରୀକ୍ଷାନିରୀକ୍ଷା ହାତକୁ ନେଇଛନ୍ତି।

ବାୟୋଏନ୍ ଟେକ୍‌-ଫାଇଜର ସମେତ ମଡର୍ଣ୍ଣା ଆଦି ଔଷଧ ନିର୍ମାତାମାନେ ବ୍ରିଟେନରେ ଦ୍ରୁତ ବ୍ୟାପୁଥିବା ଭୂତାଣୁ ଆୟତ୍ତ ଲାଗି ଏବେ ଦିନରାତି ଏକ କରିଦେଇଛନ୍ତି। ଫାଇଜରଙ୍କ ଜର୍ମାନ ପାର୍ଟନର ବାୟୋଏନଟେକ୍‌ କାର୍ଯ୍ୟନିର୍ବାହୀ ଉଗୁର ଶାହିନ୍‌ ଟିକା ଡୋଜ ଭୂତାଣୁ ନୂଆ ପ୍ରକାରକୁ ଆୟତ କରିପାରୁଛି କି ନା ଜାଣିବା ଲାଗି ଅତିବେଶିରେ ୨ ସପ୍ତାହ ଲାଗିବ ବୋଲି ମଙ୍ଗଳବାର କହିଛନ୍ତି। ଏଥିପାଇଁ ପ୍ରୟୋଗଶାଳାରେ ବୈଜ୍ଞାନିକ ଏବେ ଦିନରାତି ପରୀକ୍ଷଣ କରୁଛନ୍ତି। 

ସେହିପରି ଭୂତାଣୁର ପ୍ରକାରକୁ ରୋକିବାରେ ମଡର୍ଣ୍ଣା ଟିକା ଶରୀରରେ ଇମ୍ୟୁନିଟି ସୃଷ୍ଟି କରିପାରେ ବୋଲି ଆଶା କରୁଛନ୍ତି।  ଏଥିଲାଗି ଏବେ ଅଧିକରୁ ଅଧିକ ପରୀକ୍ଷଣ ହାତକୁ ନିଯାଇଛି। ତେବେ ବ୍ରିଟେନରେ ବ୍ୟାପୁଥିବା ନୂଆ ଷ୍ଟ୍ରେନ ବିରୋଧରେ ଟିକା ସକ୍ଷମ ହେବ କି ନା ସେ ନେଇ ଆଗାମୀ ସପ୍ତାହ ବେଳକୁ ସ୍ପଷ୍ଟ ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲେ ହେଁ କୌଣସି ଅଧିକାରୀକ ବିବୃତ୍ତି ଆସି ନାହିଁ।  ସେପଟେ ଏପର୍ଯ୍ୟନ୍ତ କରୋନା ଭୂତାଣୁର ୯ଟି ମ୍ୟୁଟେସନ ହୋଇସାରିଥିବା ବାୟୋଏନଟେକ୍‌ କାର୍ଯ୍ୟନିର୍ବାହୀ କହିଛନ୍ତି। ନୂଆଷ୍ଟ୍ରେନ ଲାଗି ଔଷଧ ଉପଯୋଗୀ ହୋଇପାରିବ କି ନା  ଅନୁଧ୍ୟାନ ପରେ ତାର ଜବାବ ମିଳିଯିବ ବୋଲି କହିଛନ୍ତି।

 ଶାହିନଙ୍କ କହିବା ଅନୁସାରେ ଭାକ୍ସିନରେ ୧ହଜାର ୨୭୦ରୁ ଅଧିକ ଏମିନୋ ଏସିଡ ଅଛି। ଏଥିରେ ଭୂତାଣୁର ମାତ୍ର ୯ଟି ମ୍ୟୁଟେସନ (ପରିବର୍ତ୍ତନ) ହୋଇଛି। ଏଥିରୁ ପ୍ରୋଟିନ୍‌ ପ୍ରାୟ ୯୯ ପ୍ରତିଶତ ସମାନ ଥିବା ସ୍ପଷ୍ଟ। ଏଣୁ ଟିକା ନିଶ୍ଚିତ ଭୂତାଣୁ ମୁକାବିଲା ଲାଗି ସମର୍ଥ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.