୨୫ ତାରିଖ ଯାଏଁ ବର୍ଷା ନାହିଁ : ଏଣେ ବର୍ଷା ଅଭାବରୁ ବିଲରେ ମଲାଣି ଧାନଗଛ

Published By : Prameya-News7 Bureau | July 22, 2019 IST

ଭୁବନେଶ୍ବର ୨୨/୭: ଉପକୂଳରୁ, ପଶ୍ଚିମ ଓଡିଶା ସବୁଠି ମରୁଡିର ପଦଧ୍ବନୀ। ମୌସୁମୀ ଲୁଚକାଳି ଖେଳୁଥିବା ବେଳେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ହୋଇପାରୁନି । ଫଳରେ ଜୁଲାଇ ମାସ ସୁଦ୍ଧା ଯେତିକି ବର୍ଷା ହେବା କଥା ତାଠାରୁ କମ ପରିମାଣର ବର୍ଷା ହୋଇଛି । ଏପଟେ ବର୍ଷାର ଦେଖାନଥିବା ବେଳେ ମରୁଡ଼ି ଆଶଙ୍କାରେ ମୁଣ୍ଡରେ ହାତ ଦେଇ ବସିଲାଣି ଚାଷୀକୂଳ।

ଆଷାଢ ଯାଇ ଶ୍ରାବଣ ପଶିଲା । ଏବେ ମୁଷଳ ଧାରାରେ ବର୍ଷା ହେବା କଥା କିନ୍ତୁ ସବୁଠି ଟାଇଁ ଟାଇଁ ଖରା । ଠାଏ ଠାଏ କାଁ ଭାଁ ବର୍ଷା ହେଉଛି। ଉପକୂଳରୁ, ପଶ୍ଚିମ ଓଡିଶା ସବୁଠି ମରୁଡିର ପଦଧ୍ବନୀ। ଏ ଦୃଶ୍ୟ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳର ।ଜମି ଫାଟି ଆଁ କରିଛି । ବେଉଷଣ ସମୟରେ ବିଲରେ ହଳ ବୁଲୁନି । ପାଣି ଅଭାବରୁ ତଳି ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଚାଷ କାମ ଆରମ୍ଭରୁ ଏପରି ସ୍ଥିତି ଦେଖି ଚାଷୀ ମୁଣ୍ଡ କାମ କରୁନି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ଯୁଆଡେ ଦେଖିଲେ କ୍ଷେତ ସୁଖିଲା ପଡିଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୩୩ ପ୍ରତିଶତ ବର୍ଷା କମ ହୋଇଛି ।

ଝାରସୁଗୁଡାରେ ଧାନ ଚାଷ ପୁରା ଉଜୁଡିଗଲାଣି । ଧାନ ବୁଣା କାମ ସରିଥିବା ବେଳେ ପାଣି ଅଭାବରୁ ରୁଆ ଓ ବେଉଷଣ ହୋଇ ପାରୁନାହିଁ । ପ୍ରବଳ ଖରାରେ ଜମି ଫାଟି ଆଁ କରିଛି | କିଛି ବିଲରେ ତ ଗାଈ ଚରିଲେଣି । ଜମି ନିକଟରେ ଥିବା କୁଅରୁ ପାଣି ମଡାଇ ଚାଷକୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ଚାଷୀ | କିନ୍ତୁ କଣ ହେବ ଏସବୁ ସମୁଦ୍ରକୁ ଶଙ୍ଖେ । ସେହିଭଳି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଚାଷୀ କୂଳ ହତାସ । ବର୍ଷାକୁ ଅପେକ୍ଷା କରି ବିଲରେ ଧାନତଳି ଏବେ ହଳଦିଆ ପଡିଗଲାଣି । ଏଭଳି ସ୍ଥିତିରେ ମରୁଡିର ସଙ୍କେତ ମିଳିଥିବା ବେଳେ ଚାଷୀ ନିଜ ଭାଗ୍ୟକୁ ଆଦରି ନେଇଛି।

ସେପଟେ ପାଣିପାଗ ବିଭାଗ କହୁଛି ସବୁଦିନ ବର୍ଷା ହେବ ।ହେଲେ ବର୍ଷାର ଦେଖାନାହିଁ । ଆହୁରି ୪ ଦିନ ପର୍ଯ୍ୟନ୍ତ ଲାଗି ରହିବ।ଆସନ୍ତା ୨୫ ତାରିଖରୁ ବର୍ଷାର ପରିମାଣ ବଢିବ ବୋଲି ସୂଚନା ଦିଆଯାଇଛି। ଜୁନ୍ ୧ ରୁ ଆଜି ଯାଏ ସାରା ରାଜ୍ୟରେ ୪୪୫ ମିମି ବର୍ଷା ହେବା କଥା କିନ୍ତୁ  ୩୧୬ ଦଶମିକ ୭ ମିମି ବର୍ଷା ହୋଇଛି। ମାନେ ୨୯ ପ୍ରତିଶତ କମ୍ ବର୍ଷା ହୋଇଛି। ବାଲେଶ୍ବର, ଗଜପତି, ରାୟଗଡ଼ା, ଅନୁଗୋଳ, ମୟୁରଭଞ୍ଜ, ମାଲକାନଗିରି ଆଦି ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି ।

ମୁହଁ ଦେଖାଇ ଗାଏବ ହୋଇଯାଇଛି ମୌସୁମୀ । ଲୁଚକାଳି ଖେଲୁଛି ବର୍ଷା । ତଥାପି ଇନ୍ଦ୍ରଦେବଙ୍କ ଉପରୁ ଭରସା ହରାଇନି ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.