ପାଟନା ୪।୬: ଲୋକସଭା ନିର୍ବାଚନରେ ବିହାରର ଗୋଟିଏ ସିଟ୍ ବେଶ୍ ଚର୍ଚ୍ଚାରେ ଥିଲା। ଏହି ଆସନଟି ଥିଲା ପୂର୍ଣ୍ଣିୟାର ଲୋକସଭା ଆସନ। ଏହି ଆସନରୁ ପପୁ ଯାଦବ ଇଣ୍ଡିଆ ମେଣ୍ଟ ପକ୍ଷରୁ ଟିକେଟର ଦାବିଦାର ଥିଲେ। ତେବେ ଲାଲୁ ଯାଦବଙ୍କ ପାର୍ଟି ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏଠାରେ ଜେଡିୟୁ ଛାଡି ଆସିଥିବା ବିଧାୟିକା ବୀମା ଭାରତୀଙ୍କୁ ପ୍ରାର୍ଥୀ କରିବାରୁ ପପୁ ସ୍ୱୀଧୀନ ସାଂସଦ ପ୍ରାର୍ଥୀ ହୋଇଥିଲେ। ପପୁ ଯାଦବ ଏଠାରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଜେଡିୟୁର ସନ୍ତୋଷ କୁମାରଙ୍କୁ ୧୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।
୨୦୧୦ରେ ବାଙ୍କା ଲୋକସଭା ସିଟ୍ ପାଇଁ ହୋଇଥିବା ଉପନିର୍ବାଚନ ପରେ ଏହା ପ୍ରଥମ ଥର କୌଣସି ସ୍ୱାଧୀନ ପ୍ରାର୍ଥୀ ଜିତି ସଂସଦକୁ ଯିବେ। ୨୦୦୯ ସାଧାରଣ ନିର୍ବାଚନରେ ରାଜ୍ୟର ୨ଟି ଆସନରୁ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ସେତେବେଳେ ବାଙ୍କା ଆସନରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଂସଦକୁ ଯାଇଥିଲେ। ସେତେବେଳେ ସିୱାନରୁ ଓମପ୍ରକାଶ ଯାଦବ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ଦିଗବିଜୟ ସିଂହଙ୍କ ପରଲୋକରେ ଖାଲି ହୋଇଥିବା ଆସନରେ ୨୦୧୦ରେ ତାଙ୍କ ପତ୍ନୀ ପୁତୁଲ କୁମାରୀ ବିଜୟୀ ହୋଇଥିଲେ। ସେବେଠାରୁ ରାଜ୍ୟର କୌଣସି ଆସନରେ ଏପର୍ଯ୍ୟନ୍ତ ଜଣେ ବି ସ୍ୱାଧୀନ ପ୍ରାର୍ଥୀ ଜିତିନଥିଲେ।
୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟର ଗୁରୁତ୍ୱ ଦେଇ ନଥିଲେ। ତେବେ ପପୁ ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନରେ ତୃତୀୟ ଓ ମୋଟ ମିସାଇ ଚତୁର୍ଥ ଥର ନିର୍ବାଚନ ଜିତିଛନ୍ତି। ପପୁ ଯାଦବ ମଧ୍ୟ ନିର୍ଦ୍ଦଳୀୟ ନିର୍ବାଚନ ଲଢି ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେଗୁଡିକ ବିଧାନସଭା ନିର୍ବାଚନ ଥିଲା। ପପୁ ୧୯୯୦ ମସିହାରେ ମଧେପୁରାର ସିଂହେଶ୍ୱର ବିଧାନସଭା ନିର୍ବାଚନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ।
ଏହା ପୂର୍ବରୁ ମଧ୍ୟ ପପୁ ଯାଦବ ୨ ଥର ସ୍ୱାଧୀନ ନିର୍ବାଚନ ଲଢି ସଂସଦକୁ ପହଞ୍ଚିଥିଲେ। ପପୁ ଯାଦବ ମୋଟ ୬ ଥର ସାଂସଦ ହୋଇଛନ୍ତି। ଯେଉଁଥିରେ ସେ ୨ ଥର ଆରଜେଡି ଟିକେଟ୍ରେ ସଂସଦ ପହଞ୍ଚିଥିବା ବେଳେ ଥରଟିଏ ସମାଜବାଦୀ ପାର୍ଟି ଟିକେଟରେ ସଂସଦ ଯାଇଥିଲେ। ଏହା ତୃତୀୟବାର ଯେତେବେଳେ ପପୁ ଯାଦବ ସ୍ୱାଧୀନ ଲଢି ସଂସଦକୁ ନିର୍ବାଚିତ ହୋଇଛନ୍ତି। ଏଥର ନିର୍ବାଚନରେ ପପୁ ଯାଦବ କଂଗ୍ରେସ ଟିକେଟ୍ ପାଇଁ ଆଶାୟୀ ଥିଲେ। ଟିକେଟ୍ ଆଶ୍ୱାସନ ମିଳିବାରୁ ସେ ତାଙ୍କର ଜନ ଅଧିକାର ପାର୍ଟିକୁ କଂଗ୍ରେସରେ ବିଲୟ କରିଦେଇଥିଲେ। ତେବେ ଠିକ୍ ସମୟରେ ଜେଡିୟୁ ଛାଡିଥିବା ବିଧାୟିକାଙ୍କୁ ଦଳରେ ମିସାଇ ଆରଜେଡି ପପୁ ଯାଦବଙ୍କ ଆଶା ପାଣି କରିଦେଇଥିଲା।