୧ ଏପ୍ରିଲରୁ ହାଇୱେ ଏବଂ ଏକ୍ସପ୍ରେସ୍ ୱେରେ ଗାଡ଼ି ଚଲାଇବା ହୋଇଯିବ ମହଙ୍ଗା, ୫ରୁ ୧୦% ବଢିବ ଟୋଲ ଟ୍ୟାକ୍ସ
5/03/2023 at 7:40 PM

ନୂଆଦିଲ୍ଲୀ ୫।୩: ଦେଶର ଜାତୀୟ ରାଜମାର୍ଗ (ଏନଏଚ୍) ଓ ଏକ୍ସପ୍ରେସ-ୱେରେ ୧ ଏପ୍ରିଲରୁ ଗାଡ଼ି ଚଲାଇବା ମହଙ୍ଗା ହେବ। କାରଣ ଭାରତୀୟ ରାଜମାର୍ଗ ପ୍ରାଧିକରଣ (ଏନଏଚଏଆଇ) ଟୋଲ ଟ୍ୟାକ୍ସ ବଢାଇବାକୁ ପ୍ରସ୍ତୁତି କରୁଛନ୍ତି। ରବିବାର ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ ଟୋଲ ଟ୍ୟାକ୍ସରେ ୫ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଟାରିଫରେ ଏହି ପରିବର୍ତ୍ତନ ନ୍ୟାସନାଲ ହାଇୱେ ଫି-୨୦୦୮ଅନୁସାରେ ସବୁ ବର୍ଷ ହୋଇଥାଏ।

ରିପୋର୍ଟ ଅନୁସାରେ ଟୋଲ ଟ୍ୟାକ୍ସର ନୂଆ ରେଟ୍ ପ୍ରସ୍ତାବ ଏନଏଚଏଆଇଙ୍କ ସବୁ ପ୍ରୋଜେକ୍ଟ ଇମ୍ପ୍ଲିମେଣ୍ଟେସନ ୟୁନିଟି(ପିଆଇୟୁ)ରୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ମିଳିଯିବ। ନୂଆ ଦର ୧ ଏପ୍ରିଲରୁ ସଡ଼କ ଓ ପରିବହନ ମନ୍ତ୍ରାଳୟଙ୍କ ମଞ୍ଜୁରୀ ପରେ ଲାଗୁ ହୋଇଯିବ। ରିପୋର୍ଟ ଅନୁସାରେ କାର ଓ ହାଲୁକା ବାହନ ଉପରେ ପ୍ରତି ଟ୍ରିପ୍ ୫ ପ୍ରତିଶତ ଅଧିକ ଟ୍ୟାକ୍ସ ଲାଗିବ ଓ ଭାରି ବାହନ ଟୋଲ ଟ୍ୟାକ୍ସ ୧୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯିବ। ଏହା ପୂର୍ବରୁ ଟୋଲ ଟ୍ୟାକ୍ସ ୨୦୨୨ରେ ବୃଦ୍ଧି ହୋଇଥିଲା। ସବୁ ପ୍ରକାର ଗାଡ଼ି ଲାଗି ଟାରିଫରେ ୧୦ଟଙ୍କା ଓ ୬୦ ଟଙ୍କା ବୃଦ୍ଧି କରି ଟୋଲ ଟ୍ୟାକ୍ସ ରେଞ୍ଜରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ଏବେ ଏକ୍ସପ୍ରେସ୍-ୱେରେ ପ୍ରତି କିଲୋମିଟର ୨ଟଙ୍କା ୧୯ ପଇସା ଦରରେ ଟୋଲ ଟ୍ୟାକ୍ସ ଅସୁଲ କରାଯାଉଛି। ଏକ ରିପୋର୍ଟ ଅନୁସାରେ ଟୋଲ ପ୍ଲାଜା ଆଖପାଖର ୨୦ କିଲୋମିଟର ଅଞ୍ଚଳରେ ଲୋକଙ୍କୁ ଦିଆଯାଉଥିବା ମାସିକ ପାସ୍ ସୁବିଧାରେ ମଧ୍ୟ ୧୦ ପ୍ରତିଶତ ଶୁଳ୍କ ବୃଦ୍ଧି ହେବ। ନ୍ୟାସନାଲ ରୋଡ ଫିସ୍ ରେଗୁଲେସନ ୨୦୦୮ ଅନୁସାରେ ୟୁଜର ଫିସ୍ରେ ପ୍ଲାଜାର ବିଶେଷ ଅଞ୍ଚଳରେ ରହୁଥିବା ଲୋକଙ୍କ ଲାଗି ରିହାତିର କୌଣସି ବ୍ୟବସ୍ଥା ନାହିଁ। ତେବେ କେହି ନନ୍ କମର୍ସିଆଲ ଗାଡିର ମାଲିକ ଓ ପ୍ଲାଜାର ୨୦ କିଲୋମିଟର ଅଞ୍ଚଳରେ ରହୁଛନ୍ତି ମାସିକ ୩୧୫ଟଙ୍କା ଦେୟ ଦେଇ ପାସ୍ ନେଇ ପାରିବେ।