ନୂଆଦିଲ୍ଲୀ ୧୯।୦୯: ଜାତୀୟ ରାଜଧାନୀରେ ପ୍ରଦୂଷଣ ମାତ୍ରା କମ କରିବା ପାଇଁ ଦିଲ୍ଲୀ ସରକାର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପରେ ଗାଡି ଚାଳକଙ୍କୁ ଅସୁବିଧା ହୋଇପାରେ। ସରକାର କହିଛନ୍ତି ଥଣ୍ଡା ପୂର୍ବରୁ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବଢିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନିଆଯାଇଛି।
ଦିଲ୍ଲୀରେ ଏବେ ବୈଧ୍ୟ ପ୍ରଦୂଷଣ ନିୟନ୍ତ୍ରଣ(ପିୟୁସି) ସାର୍ଟିଫିକେଟ୍ ବିନା ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇପାରେ। ସରକାରଙ୍କ ପରିବହନ ବିଭାଗ ଅନୁଯାୟୀ ବୈଧ୍ୟ ପିୟୁସି ସାର୍ଟିଫିକେଟ୍ ବିନା ଗାଡି ଚଳାଉଥିବା ବେଳେ ଧରା ପଡିଲେ ଲାଇସେନ୍ସ ରଦ୍ଦ ହେବା ସହ ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପରିବହନ ବିଭାଗ ଡ୍ରାଇଭିଂ ଲାଇସେନ୍ସ ନିଲମ୍ବନ ସହିତ କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଗାଡି ମାଲିକଙ୍କୁ ପିୟୁସି ପ୍ରମାଣ ପତ୍ର ନେଇଯିବାକୁ ଅପିଲ୍ କରିଛି। ରବିବାର ପରିବହନ ବିଭାଗ ଦ୍ଵାରା ଜାରି ସାର୍ବଜନୀନ ନୋଟିସ୍ରେ କୁହାଯାଇଛି ଯେ, ବିନା ପ୍ରମାଣପତ୍ରରେ ଧରା ପଡିଲେ ଗାଡି ମାଲିକଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଭରିବାକୁ ପଡିପାରେ। ଏଥିସହ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବ।