ଆନ୍ଦୋଳନ ନୁହେଁ, ଶାନ୍ତିପୂର୍ଣ୍ଣ ଧାରଣା : ୧୦ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
15/03/2023 at 7:46 AM

ଭୁବନେଶ୍ୱର ୧୫।୦୩ : ନରମିଲା ଓଡ଼ିଶା ଡ୍ରାଇଭର ସଂଘ । ଆନ୍ଦୋଳନ ନୁହେଁ, ଶାନ୍ତିପୂର୍ଣ୍ଣ ଧାରଣା ଦେବ ଓଡ଼ିଶା ଡ୍ରାଇଭର ମହାସଂଘ । ୧୦ଦଫା ଦାବିରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ଡ୍ରାଇଭର ଏକତା ମହାମଞ୍ଚ।
ତେବେ ଘରୋଇ ବସ୍ ମାଲିକ ସଂଘ କିନ୍ତୁ ଆନ୍ଦୋଳନରେ ସାମିଲ ହେବନି ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛି । ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶା ଡ୍ରାଇଭର ମହାସଂଘ ସହ ଓଡ଼ିଶା ମଟର ଚାଳକ ସଂଘ, ଓଡ଼ିଶା ପରିବହନ ସଂଘ, କଳିଙ୍ଗ ଅଟୋ ମହାସଂଘ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି । ଭୁବନେଶ୍ୱରରେ କୌଣସି ବିରୋଧ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଗୁଡ଼ିକରେ କର୍ମୀମାନେ ତାଙ୍କ ନିଷ୍ପତ୍ତି ଅନୁସାରେ ଧାରଣା ଦେବେ ।
ଡ୍ରାଇଭର ଏକତା ମହାମଞ୍ଚର ନେତା ଅକ୍ଷୟ ନାୟକ କହିଛନ୍ତି ଯେ, ଆମେ ସମସ୍ତଙ୍କ ସହଯୋଗରେ ଆନ୍ଦୋଳନ କରିବୁ। ରାଜ୍ୟର ସମସ୍ତ ବ୍ଲକ ମୁଖ୍ୟରାସ୍ତାକୁ ଅବରୋଧ କରାଯିବ। ସ୍କୁଲ ବସ୍ , ପରୀକ୍ଷା ଡ୍ୟୁଟିରେ ନିୟୋଜିତ ହୋଇଥିବା ଗାଡ଼ି, ଛାତ୍ରଛାତ୍ରୀ ଯାଉଥିବା ଗାଡ଼ି, ଆମ୍ବୁଲାନ୍ସ, ମେଡିକାଲ ଷ୍ଟାଫ୍, ଆମ୍ବୁଲାନ୍ସ, ବିଦ୍ୟୁତ୍ ବିଭାଗ ଗାଡ଼ି, ଦମକଳ ଆଦିକୁ ଛଡ଼ାଯିବ। ହେଲେ ବିଭିନ୍ନ ସାମଗ୍ରୀ ପରିବହନ ପାଇଁ ନିୟୋଜିତ ଗାଡ଼ିଗୁଡ଼ିକୁ ଅଟକ ରଖାଯିବ।
ସେପଟେ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ଡ୍ରାଇଭର ସଂଘର ଦାବି ପ୍ରତି ବିଚାରକୁ ନିଆଯାଇଛି , ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ଧର୍ମଘଟରୁ ବିରତ ରହିବା ଲାଗି ପରିବହନ ବିଭାଗ ପକ୍ଷରୁ ବାରମ୍ବାର କୁହାଯାଇଛି। ଏହା ସତ୍ତ୍ବେ ସଂଘ ଧର୍ମଘଟକୁ ଓହ୍ଲାଇଥିବାରୁ ସ୍ଥିତିର ସମୀକ୍ଷା କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଜନ ସାଧାରଣଙ୍କର ଯେଭଳି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ ହେବା ଲାଗି ସବୁ ଜିଲ୍ଲାପାଳ ଏବଂ ଏସ.ପି.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଡ୍ରାଇଭର ସଂଘ ସହ ଆଲୋଚନାକୁ ଆମେ ଗୁରୁତର ସହ ନେଉଛୁ। ଡ୍ରାଇଭରଙ୍କ ପାଇଁ ଆମେ ସକରାତ୍ମକ ଚିନ୍ତାଧାରା ରଖିଛୁ। ଆମେ ସେମାନଙ୍କ ଦାବିକୁ ଗୁରୁତର ସହ ବିଚାର କରିବୁ। ତେବେ ରାଜ୍ୟ ସରକାରଙ୍କ ସହ ଡ୍ରାଇଭର ଏକତା ମହାମଞ୍ଚର ଆଲୋଚନା ବିଫଳ ହୋଇଥିବାରୁ ସାରା ରାଜ୍ୟରେ ଯାନାବାହନ ଚଳାଚଳ ଠପ୍ ହେବା ଆଶଙ୍କା ସୃଷ୍ଟି ହୋଇଛି। ଅପରପକ୍ଷେ ଏବେ ମାଟ୍ରିକ ଓ +୨ ପରୀକ୍ଷା ଚାଲିଥିବାରୁ ଏହି ଆନ୍ଦୋଳନର ପ୍ରଭାବ ଯେପରି ଛାତ୍ରଛାତ୍ରୀଙ୍କ ଯାତାୟତ ଉପରେ ନପଡ଼େ ସେଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି।