ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ଗାଡି ଚଳାଚଳ ଠପ୍, ଯୋଗାଯୋଗ ବିଛିନ୍ନ
15/03/2023 at 2:39 PM

ଢେଙ୍କାନାଳ ୧୫/୦୩: ୧୦ଦଫା ଦାବିରେ ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡ଼ାକରାରେ ରାଜ୍ୟ ବ୍ୟାପୀ ଡ୍ରାଇଭର ମାନେ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ସାରା ରାଜ୍ୟ ପ୍ରଭାବ ଦେଖିବାକୁ ମିଳିଛି । ଏପରି ସ୍ଥଳେ ରାଜ୍ୟର ଦୁଇ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ସମ୍ବଳପୁରକୁ ଯୋଗାଯୋଗର ମୁଖ୍ୟ ମାଧ୍ୟମ ୫୫ନମ୍ବର ଜାତୀୟ ରାଜପଥରେ ଯାଗାତୟ ବାଧାପ୍ରାପ୍ତ ହୋଇଛି ।

ରାଜ୍ୟର ପ୍ରମୁଖ ବ୍ୟବସାୟିକ ଲାଇଫ୍ ଲାଇନ କୁହାଯାଉଥିବା ଏନ ଏଚ-୫୫ରେ କେବଳ ଜରୁରୀ କାଳୀନ ସେବାକୁ ଛାଡିଦେଲେ ସଂପୂର୍ଣ୍ଣ ଭାବେ ଚକ ଅଖ ଠପ୍ ହୋଇଯାଇଛି । ଶହ ଶହ ସଂଖ୍ୟାରେ ଡ୍ରାଇଭର ମୋଟଙ୍ଗା ବାଇପାସ ଛକରେ ରାସ୍ତା ପାର୍ଶ୍ଵରେ ଶାନ୍ତି ପୂର୍ଣ୍ଣ ଭାବେ ଧାରଣା ଦେଇଥିବା ଦେଖାଯାଇଛି। ଡ୍ରାଇଭର ମାନେ ତାଙ୍କର ଦାବିକୁ ନେଇ ବିଭିନ୍ନ ନାରାବାଜି ଦେଉଛନ୍ତି । ସେପଟେ ଢେଙ୍କାନାଳର ଶିଳ୍ପ ଅନୁଷ୍ଠାନର ପେଣ୍ଠସ୍ଥଳୀ କୁହାଯାଉଥିବା କଣ୍ଟା ବଣିଆ ଛକରେ ଶତାଧିକ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି ।

ଫଳରେ ଟାଟା ଷ୍ଟିଲ, ଜିଏମଆର , ନବଭରତ ଆଦି କାରଖାନାକୁ ଟ୍ରକ ଚଳାଚଳ ସଂପୂଣ୍ଣ ବନ୍ଦ ହୋଇଯାଇଛି । ଏପରିକି ଡ୍ରାଇଭର ମାନେ ଜରୁରୀ କାଳୀନ ସେବା ଗାଡିକୁ ଛାଡି ରାଜପଥରେ ଅନ୍ୟ ଗାଡି ସବୁ ଚଳାଚଳ ବନ୍ଦ ପାଇଁ ପିକେଟିଂ କରୁଥିବା ଦେଖିବାକୁ ମିଳିଛି । ତେବେ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପରୀକ୍ଷା ହେଉ ବା ଆମ୍ବୁଲାନ୍ସ ସେବା ବା ଡାକ୍ତରୀ ସେବା ଉପରେ କୌଣସି କୁପ୍ରଭାବ ପଡ଼ିନାହିଁ ।