ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳା କାଟି ହତ୍ୟା କଲା ମୁସଲମାନ ଡ୍ରାଇଭର
9/03/2023 at 1:34 PM

ଇସ୍ଲାମାବାଦ: ପାକିସ୍ତାନରେ ଜଣେ ଖ୍ୟାତନାମା ଚର୍ମରୋଗ ବିଶେଷଜ୍ଞ ଡାକ୍ତରକୁ ହତ୍ୟା କଲା ଡ୍ରାଇଭର। ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ। ଏହି ଘଟଣାକୁ ନେଇ ପାକିସ୍ତାନରେ ରାଜନୀତି ଜୋର ଧରିଛି।
ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଞ୍ଚଳର ଜଣେ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞ। ମଙ୍ଗଳବାର ତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି। ତାଙ୍କ ଡ୍ରାଇଭର ହନିଫ ଲେଘାରୀ ଡାକ୍ତରଙ୍କ ଗଳା କାଟି ହତ୍ୟା କରିଛି। ମଙ୍ଗଳବାର ଏହି ଘଟଣା ଘଟିଥିବା ବେଳେ ୨୪ ଘଣ୍ଟାରେ ବୁଧବାର ପାକିସ୍ତାନ ପୁଲିସ ଅପରାଧିକୁ ଖଇରପୁରରେ ଥିବା ତା ଘରୁ ଗିରଫ କରିଛି।
ଡାକ୍ତରଙ୍କ ରୋଷେୟାଙ୍କ ସୂଚନା ଅନୁସାରେ ଧରମ ଦେବ ରାଠୀ ଘରକୁ ଫେରୁଥିବା ବେଳେ ଡ୍ରାଇଭର ସାଙ୍ଗରେ ତାଙ୍କ ତର୍କବିତର୍କ ହୋଇଥିଲା। ଆଉ ଘରେ ପହଞ୍ଚିବା ପରେ ରୋଷେଇ ଘରୁ ଛୁରୀ ଆଣି ହନିଫ ଶ୍ରୀ ରାଠୀଙ୍କର ଗଳା କାଟି ହତ୍ୟା କରିଥିଲା। ପରେ କାର୍ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା। ଏହି ଘଟଣାରେ ପରେ ପାକିସ୍ତାନ ପୁଲିସ ୨୪ ଘଣ୍ଟାରେ ଅପରାଧିକୁ ଗରିଫ କରିଥିଲା।
ଘଟଣାକୁ ନେଇ ସଂଖ୍ୟା ଲଘୁ ମନ୍ତ୍ରୀ ଜ୍ଞାନ ଚନ୍ଦ୍ର ଇସରାନୀ ୨୪ ଘଣ୍ଟାରେ ଗିରଫଦାରୀକୁ ନେଇ ପୁଲିସର ତତ୍ପରତା ପ୍ରଶଂସା କରିଛନ୍ତି। ତା ସହିତ ମୃତ ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ସେହିପରି ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ମହିଳା ମୋର୍ଚ୍ଚାର ମୁଖ୍ୟ ଫରିୟାଲ ତାଲପୁର ଏହି ଘଟଣାକୁ ନିନ୍ଦା କରିବା ସହ ଘଟଣା ଅତ୍ୟନ୍ତ ଦୁଃଖଦ। ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ କହିଛନ୍ତି। ହୋଲି ଭଳି ପର୍ବ ପାଳନ ହେଉଥିବା ବେଳେ ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଫରିୟାଲ କହିଛନ୍ତି।