ପ୍ରସୂତିଙ୍କୁ ଲାଞ୍ଚ ମାଗି ହଟହଟା ହେଲେ ଡ୍ରାଇଭର; ଜନନୀ ଏକ୍ସପ୍ରେସ୍ ପାଇଁ ୫୦୦ ଟଙ୍କା ମାଗୁଥିବା ଅଭିଯୋଗ
23/03/2023 at 10:07 PM

ତେଲକୋଇ ୨୩/୦୩: ଜନନୀ ଏକ୍ସପ୍ରେସ୍ରେ ସେବା ପାଇଁ ଡ୍ରାଇଭର ମାଗୁଛନ୍ତି ଲାଞ୍ଚ। ୧୦୨ ଆମ୍ବୁଲାନ୍ସରେ ଡାକ୍ତରଖାନାରୁ ଆଣି ଘରେ ଛାଡ଼ିବା ପରେ ୫୦୦ ଟଙ୍କା ଦାବି କଲେ ଚାଳକ। ଏପରି ଅଭାବନୀୟ ଦୃଶ୍ୟ କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଏନେଇ ପ୍ରସୂତି ମହିଳାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି। ଖବର ଅନୁସାରେ, ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗାଁର କଁଇତା ଜୁଆଙ୍ଗଙ୍କର ବୁଧବାର ଗର୍ଭ ଯନ୍ତ୍ରଣା ହୋଇଥିଲା। ପରେ ତାଙ୍କୁ ଆଶାଙ୍କ ସହାୟତାରେ ଆମ୍ବୁଲାନ୍ସରେ ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।
କିନ୍ତୁ ଯେଉଁ ୧୦୨ ଆମ୍ବୁଲାନ୍ସରେ କଇଁତାଙ୍କୁ ମେଡିକାଲ ଆଣିଥିଲା ତାର ଡ୍ରାଇଭର ରୋହିତ ଦଳନାୟକ ପ୍ରସୂତିଙ୍କୁ ଘରେ ଛାଡିବାକୁ ଆଗୁଆ ୫୦୦ଟଙ୍କା ମାଗିଥିଲେ ବୋଲି କହିଛନ୍ତି କଇଁତାଙ୍କ ସ୍ବାମୀ ଶମ୍ଭୁ ଜୁଆଙ୍ଗ। ସୂଚନାଥାଉକି, ପୂର୍ବରୁ ଶବ ବ୍ୟବଛେଦ ରିପୋର୍ଟ ପାଇଁ ଲାଞ୍ଚ ନେଇ ଶଲ୍ଯ ଚିକିତ୍ସକ ଗଣପତି ପ୍ରଧାନ ଧରାପଡ଼ିଥିବା ବେଳେ ଏବେ ପ୍ରସୂତୀଙ୍କୁ ଘରେ ଛାଡିବାକୁ ଡ୍ରାଇଭର ଲାଞ୍ଚ ମାଗିବା ଘଟଣା ତେଲକୋଇ ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରର ଛବିକୁ ତଳେ ପକାଇଛି। ବାରମ୍ବାର ଏଭଳି ଘଟଣା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହେଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗର ନିରବତା ଲୋକଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।