ଗୁମିକିଆ ପଞ୍ଚାୟତରେ ପିଇବା ପାଣିର ସମସ୍ୟା, ଅଚଳ ହୋଇପଡିଛି ବସୁଧା ପାନୀୟ ଜଳ ପ୍ରକଳ୍ପ

Published By : Prameya-News7 Bureau | August 29, 2022 IST

ଦାରିଙ୍ଗବାଡି ୨୯।୮: ଗ୍ରାମାଞ୍ଚଳରେ ଲୋକଙ୍କୁ ପିଇବା ପାଣି ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । କିନ୍ତୁ ଯେଉଁ ଉପାନ୍ତ ଅଞ୍ଚଳର ବିକାଶ ପାଇଁ ଜୋର ଦିଆଯାଉଛି ପ୍ରଶାସନିକ ଅବହେଳା ପାଇଁ ସେମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁନାହିଁ । ବସୁଧା ଯୋଜନା କାର୍ଯ୍ୟକାରୀ ହେଉଛି ସତ । ହେଲେ ରକ୍ଷଣା ବେକ୍ଷଣ ଅଭାବ ସାଙ୍ଗକୁ ପ୍ରଶାସନର ଆନ୍ତରିକତା ଅଭାବରୁ ଲୋକଙ୍କୁ ବୁନ୍ଦାଏ ପାଣି ମିଳୁନି । କନ୍ଧମାଳ ଜିଲ୍ଲା ଗୁମିକିଆ ପଞ୍ଚାୟତର ୪ ଗୋଟି ଗାଁରେ ଏହା ଦେଖିବାକୁ ମିଳିଛି ।

{"id":677646,"sizeSlug":"full","linkDestination":"none"}

ଗୁମିକିଆ ପଞ୍ଚାୟତର ପାଟାମାହା, କୁନ୍ଦୁପଙ୍ଗା, ପାଣ୍ଡ୍ରିସ, ଗଞ୍ଜୁକିଆ ଗାଁରେ ଏକ ହଜାରରୁ ଅଧିକ ଜନସଂଖ୍ୟା ରହିଛନ୍ତି । ଏହିସବୁ ଗାଁରେ ପାଣି ଟାଙ୍କି ନିର୍ମାଣ ହୋଇଛି । ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ ସାଙ୍ଗକୁ ଘରୋଇ ସଂଯୋଗ ଦିଆଯାଇଛି । ହେଲେ ପାଖାପାଖି ଏକ ମାସ ହେଲା ପାଣି ଆସୁ ନ ଥିବାରୁ ପିଇବା ପାଣି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଟାଙ୍କି ପ୍ରତିଷ୍ଠା ହେବା ଦିନରୁ ମଝିରେ ମଝିରେ ଏମିତି ଦୀର୍ଘ ଦିନ ଯାଏଁ ପାଣି ଆସୁ ନଥିବା ଲୋକେ ଅଭିଯୋଗ କରିଛନ୍ତି । ବସୁଧା ଯୋଜନାରେ ପାଣି ଠିକରେ ଆସୁ ନଥିବାରୁ ଲୋକେ ବର୍ଷା ଦିନରେ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ।

{"id":677645,"sizeSlug":"full","linkDestination":"none"}

ଏପଟେ ଗ୍ରାମରେ ନଳକୂପ ଅଛି ସତ କିନ୍ତୁ ନଳକୂପରୁ ଯେଉଁ ପାଣି ବାହାରୁଛି ତାହା ବ୍ୟବହାର ଯୋଗ୍ୟ ହେଉ ନଥିବା କହିଛନ୍ତି ଗ୍ରାମର ମହିଳା । ପାଟାମାହା ଗ୍ରାମରେ ୭୫ ହଜାର ଲିଟର କ୍ଷମତା ବିଶିଷ୍ଟ ପାଣି ଟାଙ୍କି ନିର୍ମାଣ କରାଯାଇ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ହେଲେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ହେଉଥିବାରୁ ଦୀର୍ଘ ମାସ ହେଲା ପାଣି ବନ୍ଦ ହୋଇ ରହିଛି । ଏହାସହ ପାଇପ ଲାଇନ ଗୁଡିକ ବିଭିନ୍ନ ସ୍ଥାନରେ ଫାଟି ଯାଇଥିବା ବେଳେ ପାଣି ଟାଙ୍କି ପାଖରେ ଲଟା ବୁଦା ମାଡିଯାଇ ଖରାପ ହେବାକୁ ବସିଲାଣି । ଏ ନେଇ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ, ବ୍ଲକରେ ଅଭିଯୋଗ କଲା ପରେ ବି କୌଣସି ସୁଫଳ ମିଳି ନଥିବା ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.