ଆମେରିକା-ପାକିସ୍ତାନକୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ତଥ୍ୟ ଦେଇ ଡିଆରଡିଓର ଇଂଜିନିୟର ଗିରଫ

Published By : Prameya-News7 Bureau | October 09, 2018 IST

ନାଗପୁର ୯|୧୦:  ଗୁପ୍ତଚର ଅଭିଯୋଗରେ ଜଣେ ଇଂଜିନିୟର ଗିରଫ ହୋଇଛନ୍ତି । ସେ ଭାରତର ପରମାଣୁ ଶକ୍ତି ସମ୍ପନ୍ନ ବ୍ରହ୍ମୋସ୍‌ କ୍ଷେପଣାସ୍ତ୍ରର ବିଶେଷ କୌଶଳ ସମ୍ବନ୍ଧରେ ଗୁରୁତ୍ବପୂର୍ଣ୍ଣ  ତଥ୍ୟ ଆମେରିକା ଏବଂ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିଲେ। ସୂଚନା ମିଳିବା ପରେ ଉତ୍ତରପ୍ରଦେଶ ଏଟିଏସ ଏବଂ ମିଲିଟାରୀ ଇଣ୍ଟେଲିଜେନ୍ସ ଡିଆରଡିଏର ସିନିୟର ଇଂଜିନିୟର ନିଶାନ୍ତ ଅଗ୍ରଓ୍ବାଲଙ୍କୁ ଗିରଫ କରିଛି । ତେବେ ଇଂଜିନିୟର  ଜଣଙ୍କ ହନି ଟ୍ରାପ୍‌ର ଶିକାର ହୋଇଛନ୍ତି ବୋଲି ସ‌ନ୍ଦେହ କରାଯାଉଛି । ସୂଚନା ଅନୁସାରେ ନିଶାନ୍ତ ଡିଆରଡିଏର ବ୍ରହ୍ମୋସ ଏୟାରସ୍ପେଶରେ ୪ବର୍ଷ ଧରି ସିନିୟର ସିଷ୍ଟମ ଇଂଜିନିୟର ଭାବେ କାମ କରୁଥିଲେ । ସେ ହାଇଡ୍ରୋଲିକ-ନ୍ୟୁମେଟିକ୍ସ ଏବଂ ଓ୍ବାରହେଡ୍ ଇଣ୍ଟିଗ୍ରେସନ (ପ୍ରଡକସନ ଡିପାର୍ଟମେଣ୍ଟ)ର ୪୦ ଜଣଙ୍କୁ ପ୍ରତିନିଧିତ୍ବ କରୁଥିଲେ । ନିଶାନ୍ତ ବ୍ରହ୍ମୋସର ସିଏସଆର ଏବଂ ଆରଏନଡି ଗ୍ରୁପର ସଦସ୍ୟ ମଧ୍ୟ ଥିଲେ । ବର୍ତ୍ତମାନ ସେ ନାଗପୁର ଏବଂ ପିଲାନି ସାଇଟ୍ ର ପ୍ରୋଜେକ୍ଟ କାମ ବୁଝୁଥିଲେ । ଗତବର୍ଷ ୟୁନିଟ୍ ରୁ ତାଙ୍କୁ ଯୁବ ବୈଜ୍ଞାନିକ ପୁରସ୍କାର ମିଳିଥିଲା । ସୂଚନା ଅନୁସାରେ ନିଶାନ୍ତ ଦିଲ୍ଲୀରେ ଅବସ୍ଥିତ ସିଆଇଏ (ଆମେରିକାର ଇଣ୍ଟେଲିଜେନ୍ସ ଏଜେନ୍ସି) ଏଜେଣ୍ଟ ଏବଂ ପାକିସ୍ତାନର ହ୍ୟାଣ୍ଡଲରର ସଂପର୍କରେ ଥିଲେ । ସେ ସୋସିଆଲ ମିଡିଆ ଚାଟ୍ ସାହାଯ୍ୟରେ ମିସାଇଲ କୌଶଳର ସୂଚନା ପଠାଉଥିଲେ । । ଏଟିଏସ ଆଇଜି ଅସୀମ ଅରୁଣ କହିଛନ୍ତି ଯେ ଅଭିଯୁକ୍ତ ଇଂଜିନିୟରଙ୍କ କମ୍ପ୍ୟୁଟରରେ କେତେକ ସମ୍ବେଦନଶୀଳ ସୂଚନା ରହିଥିଲା । ଜଣେ ପାକିସ୍ତାନୀଙ୍କ ସହ ତାଙ୍କର ଫେସବୁକ୍ ଚାଟିଂରୁ ପ୍ରମାଣ ମିଳିଛି । ସେନାର ବରିଷ୍ଠ ଅଧିକାରୀ ଏ ଘଟଣା ଉପରେ ନଜର ରଖିଛନ୍ତି । ଅଭିଯୁକ୍ତ ମିସାଇଲର କେଉଁ କେଉଁ ସୂଚନା ଲିକ୍ କରିଛନ୍ତି ତାହା ଜାଣିବା ପାଇଁ ପଚରାଉଚରା ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.