ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ, ଆସନ୍ତାକାଲି ଫୁଲଡ୍ରେସ୍ ରିହରସଲ୍

Published By : Prameya-News7 Bureau | November 08, 2022 IST

ଭୁବନେଶ୍ଵର: ଆସନ୍ତା ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଓ ଡିସିପି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ । କାଲି ହେବ ଫୁଲ ଡ୍ରେସ୍ ରିହଲସଲ । ସେହିପରି ରାଷ୍ଟ୍ରପତିଙ୍କ  ପୁରୀ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସେଠାରେ ମଧ୍ୟ ତାଙ୍କ ସୁରକ୍ଷା ପ୍ରସ୍ତୁତିକୁ ଜୋରଦାର କରାଯାଇଛି ।

ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଓ ଡିସିପି । ବ୍ଲୁ ବୁକ୍ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଆସନ୍ତା ୧୦ରେ ବାୟୁ ସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନବନ୍ଦରରେ କେଉଁଠି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ବିମାନବନ୍ଦରରୁ ରାଜଭବନ ଅଭିମୁଖେ କିଭଳି କାରକେଡ୍ ନିଆଯିବ ତାର ସମୀକ୍ଷା କରିଥିଲେ ପୋଲିସ କମିଶନର । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୫୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୩୦୦ ପୋଲିସ ଅଧିକାରୀ ନିୟୋଜିତ ହେବେ । ରାଷ୍ଟ୍ରପତି ଭୁବନେଶ୍ବରରେ ଯେଉଁ ସ୍କୁଲ ପରିଦର୍ଶନରେ ଯିବେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା କରାଯିବ । ଆସନ୍ତାକାଲି ଏଥିପାଇଁ ଫୁଲଡ୍ରେସ୍ ରିହରସଲ୍ ହେବ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟାହ୍ନରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଶ୍ରୀମନ୍ଦିରରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ପୁରୀ ରାଜଭବନ ଯାଇ ସେଠାରୁ ଭୁବନେଶ୍ବର ଫେରିବେ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି କେନ୍ଦ୍ରାଞ୍ଚଳ ଆଇଜି ଓ ଏସପି ମିଳିତ ଭାବେ ରାଷ୍ଟ୍ରପତିଙ୍କ ରୁଟ, ଶ୍ରୀମନ୍ଦିର ପହଞ୍ଚିବା ସ୍ଥାନ ପରିଦର୍ଶନ କରିଛନ୍ତି । ଆସନ୍ତା କାଲି ହେଲିପ୍ୟାଡରୁ ରାଜଭବନ ଓ ରାଜଭବନରୁ ଶ୍ରୀମନ୍ଦିର  କାରକେଡ ରିହରସେଲ କରାଯିବ । ଏଥିପାଇଁ ଆବଶ୍ୟକୀୟ ପୋଲିସ ଫୋର୍ସ ମୁତୟନ ହେବେ।  ପୁରୀ ପୋଲିସ ପକ୍ଷରୁ ସୁରକ୍ଷାକୁ ନେଇ ବୈଠକ କରାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖ ସକାଳ ୧୦ଟା ୩୦ରୁ ରାଷ୍ଟ୍ରପତିଙ୍କ ଫେରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। 

ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ବିଧାୟିକା, ମନ୍ତ୍ରୀ ଓ ରାଜ୍ୟପାଳ ଥିବା ସମୟରେ ଅନେକ ବାର ପୁରୀ ଆସିଛନ୍ତି। ତେବେ ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.