ପଡିଆ ମଝିରେ ଡ୍ରାମା, ଖରାପ ପିଚ୍ ଦର୍ଶାଇ ଖେଳିଲେ ନାହିଁ ଦଳ, ଏପରି ନିଷ୍ପତ୍ତି ନେଲେ ଅମ୍ପାୟର
21/12/2022 at 8:41 PM

ନୂଆଦିଲ୍ଲୀ: ନିକଟରେ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ରାଓ୍ଵଲପିଣ୍ଡିରେ ଏକ ଟେଷ୍ଟ ମ୍ୟାଚ୍ ଖେଳା ଯାଇଥିଲା। ଉକ୍ତ ମ୍ୟାଚ୍ରେ ରନ ବର୍ଷା ଦେଖିବାକୁ ମିଳିଥିଲା। ମୁକାବିଲାରେ ଇଂଲଣ୍ଡ ବିଜୟ ହାସଲ କରିଥିଲା। ମାତ୍ର ମୁକାବିଲା ପରେ ପିଚ୍ର ଖୁବ୍ ସମାଲୋଚନା କରାଯାଇଥିଲା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମଧ୍ୟ ପିଚ୍କୁ ଖରାପ ରେଟିଂ ପ୍ରଦାନ କରିଥିଲା। ଏହି କ୍ରମରେ ଭାରତରେ ମଧ୍ୟ ପିଚ୍କୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିରେ ଖରାପ ପିଚ୍ କାରଣରୁ ଗୋଟିଏ ମ୍ୟାଚ୍କୁ ରୋକି ଦିଆଯାଇଛି। ଏହି ସମୟରେ ପଡିଆରେ ଡ୍ରାମା ଦେଖିବାକୁ ମିଳିଛି।
ଏହି ଘଟଣା ଦିଲ୍ଲୀରେ ଦେଖିବାକୁ ମିଳିଛି। ଏଠାରେ କର୍ଣ୍ଣେଲ ସିଂ ଷ୍ଟାଡିୟମରେ ରଣଜୀ ଟ୍ରଫିର ଗ୍ରୁପ ଡିରେ ରେଲଓ୍ଵେ ଏବଂ ପଞ୍ଜାବ ମଧ୍ୟରେ ମ୍ୟାଚ୍ ଖେଳାଯାଉଥିଲା। ମ୍ୟାଚ୍ର ପ୍ରଥମ ଦୁଇ ଦିନରେ ଓ୍ଵିକେଟ୍ ପତନ ଦେଖିବାକୁ ମିଳିଛି। ପଞ୍ଜାବ ୧୬୨ ରନରେ ଅଲଆଉଟ୍ ହୋଇଥିବା ବେଳେ ରେଲଓ୍ଵେ ୧୫୦ ରନରେ ସୀମିତ ରହିଥିଲା। ଏହା ପରେ ମ୍ୟାଚ୍ର ଦ୍ଵିତୀୟ ଦିନ ବୁଧବାର ପଞ୍ଜାବ ଦଳ ଦ୍ଵିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲା। ଦଳ ୧୮ ରନରେ ୪ ଓ୍ଵିକେଟ୍ ହରାଇବା ପରେ ଦ୍ଵିତୀୟ ଦିନର ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ଆଉ ଏହି ସମୟରେ ପଞ୍ଜାବ ମ୍ୟାଚ୍ ଖେଳିବାକୁ ମନା କରିଥିଲା। ଏହି ପିଚ୍ ଖେଳ ଉପଯୋଗୀ ନୁହେଁ ବୋଲି ଦଳ ଅଭିଯୋଗ କରିଥିଲା। ଏହା ଏକ ବିପଦଜ୍ଜନକ ପିଚ୍, ଏହା ଉପରେ ମ୍ୟାଚ୍ ଆରମ୍ଭ କରାଯାଇ ପାରିବ ନାହିଁ। ଏହି ପିଚ୍ରେ କେବଳ ଦ୍ରୁତ ବୋଲରଙ୍କୁ ସୁହାଉଛି। ବ୍ୟାଟସମ୍ୟାନ ରନ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି।
ଏହି ପୂରା ମାମଲାରେ ଅମ୍ପାୟର ହସ୍ତକ୍ଷେପ କରି ପଞ୍ଜାବ ଦଳକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କୌଣସି ସମାଧାନ ନହେବାରୁ ମ୍ୟାଚ୍ ରୋକି ଦିଆଯାଇଛି। ତେବେ ଗୁରୁବାର ତୃତୀୟ ଦିନର ଖେଳ ଆରମ୍ଭ ହେବ। ସେହି ସମୟରେ ପିଚ୍ ନୂତନ ଏବଂ ସତେଜ ରହିବ। ଅର୍ଥାତ ମ୍ୟାଚ୍ ପୁଣି ଥରେ ଏକ ନୂତନ ପିଚ୍ରେ ଖେଳାଯିବ।
ସୂଚନାଯୋଗ୍ୟ, ଅନେକ ଆପତ୍ତି ପରେ ରଣଜୀ ଟ୍ରଫିର ଏହି ମ୍ୟାଚ୍ ପାଇଁ ପିଚ୍କୁ ନିରପେକ୍ଷ ପିଚ୍ କ୍ୟୁରେଟର ପ୍ରସ୍ତୁତ କରିଥିଲେ। ଦିଲ୍ଲୀର ଏହି କର୍ଣ୍ଣେଲ ସିଂ ଷ୍ଟାଡିୟମର ପିଚ୍ ରାଞ୍ଚିର କ୍ୟୁରେଟର ପ୍ରସ୍ତୁତ କରିଥିଲେ। ଏବେ ପଞ୍ଜାବ କ୍ରିକେଟ୍ ଦଳ ଖେଳିବାକୁ ମନା କରିବାରୁ ତୃତୀୟ ଦିନରେ ନୂତନ ପିଚ୍ରେ ଖେଳ ଆରମ୍ଭ ହେବ।