ବାଲିଷ୍ଟିକ୍ ମିସାଇଲ ଟେଷ୍ଟ ପୂର୍ବରୁ ଚାଲ ବଦଳାଇଲା ଡ୍ରାଗନ, ହୀନ୍ଦ ମହାସାଗରକୁ ଓହ୍ଲାଇଲା ଗୁଇନ୍ଦା ଜାହାଜ
6/12/2022 at 4:10 PM

ନୂଆଦିଲ୍ଲୀ ୬।୧୨: ହୀନ୍ଦ ମହାସାଗରରେ ଲୁଚକାଳି ଖେଳ ଚାଲିଛି। ବଦଳୁନି ଚୀନ୍ର ଅଭ୍ୟାସ। ଗୋଟିଏପଟେ ଲଦ୍ଦାଖରେ ସୀମାକୁ ନେଇ ଭାରତ-ଚୀନ୍ ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ହୀନ୍ଦ ମହାସାଗରରେ ଚୀନ୍ ସୀମା ଉଲ୍ଲଂଘନ କରି ଭାରତ ଉପରେ ନଜର ରଖିବାକୁ ଉଦ୍ୟମ କରୁଛି। ମିଡିଆ ରିପୋର୍ଟ ଅନୁସାରେ ଚୀନ୍ ଏକ ଗୁଇନ୍ଦା ପୋତକୁ ହୀନ୍ଦ ମହାସାଗରକୁ ପଠାଇଛି। ଏହା ଦ୍ୱାରା ଆଗାମୀ ସପ୍ତାହରେ ଭାରତ କରିବାକୁ ଥିବା କ୍ଷେପଣାସ୍ତ୍ର ପରୀକ୍ଷଣ ଉପରେ ନଜର ରଖିପାରେ ବୋଲି କୁହାଯାଉଛି।

ଚୀନ୍ର ଗୁଇନ୍ଦା ପୋତ ଇଣ୍ଡୋନେସିଆ ରାସ୍ତାରେ ହୀନ୍ଦ ମହାସାଗରକୁ ପ୍ରବେଶ କରିଛି। ଏହି ପୋତର ପ୍ରତ୍ୟେକ ପଦକ୍ଷେପ ଉପରେ ଏବେ ଭାରତ କଡା ନଜର ରଖିଛି।ତେବେ ମିଡିଆ ରିପୋର୍ଟ ଅନୁସାରେ ଚୀନ୍ ଏପରି ଏକ ସମୟରେ ହୀନ୍ଦ ମହାସାଗରରେ ନିଜର ଗୁଇନ୍ଦା ପୋତ ଅବତରଣ କରିଛି ଯେତେବେଳେ ଭାରତ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ କ୍ଷେପଣାସ୍ତ୍ର ପରୀକ୍ଷଣ କରୁଛି। ତେବେ ଭାରତୀୟ ନୌସେନା ଚୀନ୍ ପୋତକୁ ଟ୍ରାକ କରୁଥିବା ଜଣାପଡିଛି।

ସୂଚନା ଅନୁସାରେ ଚୀନ୍ ଜାହାଜ ତା ବାଟରେ ଯାଉଥିଲା। ହେଲେ ଭାରତ କ୍ଷେପଣାସ୍ତ୍ର ପରୀକ୍ଷଣ ନିମନ୍ତେ ‘ନୋଟମ’ ଜାରି କରିବାରୁ ଚୀନ ଜାହାଜ ତାର ଯାତ୍ରା ପଥ ବଦଳେଇ ଦେଇଛି। ଚୀନର ଏହି ପଦକ୍ଷେପ ପରେ ଭାରତ ତାର କ୍ଷେପଣାସ୍ତ୍ର ପରୀକ୍ଷଣ ଜାରି ରଖିବ କି ଏଥିରେ କୌଣସି ପରିବର୍ତ୍ତନ କରିବ ଏବେ ତା ଉପରେ ସମସ୍ତଙ୍କର ନଜର। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଭାରତ ଗତ ନଭେମ୍ବର ମାସରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ଲାଗି ଯୋଜନା କରିଥିଲା। ତେବେ ଠିକେ ସେତିକି ବେଳେ ଚୀନ୍ର ଗୁଇନ୍ଦା ପୋତ ୟୁଆନ ବାଙ୍ଗ-୬ ଭାରତ ମହାସାଗରକୁ ପହଞ୍ଚିଥିଲା। ଏଣୁ ଭାରତ ତାର ପରୀକ୍ଷଣ କାର୍ଯ୍ୟକ୍ରମ ବଦଳାଇ ଦେଇଥିଲା।