ସ୍ବିଡେନ୍ ସରକାରଙ୍କ କଳା ଉପଦେଷ୍ଟା ହେଲେ ପ୍ରସିଦ୍ଧ ଚିତ୍ରଶିଳ୍ପୀ ଡ. ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ : ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

Published By : Prameya-News7 Bureau | July 27, 2020 IST

ଭୁବନେଶ୍ବର ୨୭/୦୭: ଓଡିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଡ. ପ୍ରଦ୍ୟୁମ୍ନ କୁମାର ମହାନନ୍ଦିଆ ସ୍ୱିଡେନ୍‌ ସରକାରଙ୍କ କଳା ଓ ସଂସ୍କୃତି ବିଭାଗର ଉପଦେଷ୍ଟା ପଦବୀରେ ବସିଛନ୍ତି । ସ୍ୱିଡେନ୍‌ ସରକାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଛନ୍ତି । ଏଭଳି ନିଆରା ସଫଳତା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇ ରାଜ୍ୟ ପାଇଁ ସେ ଗୌରବ ବୋଲି ଅଭିହିତ କରିଛନ୍ତି । ଆଗକୁ ସେ ଆହୁରି ଖ୍ୟାତି ଅର୍ଜନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

{"id":306054,"sizeSlug":"large"}

ମହାନନ୍ଦିଆଙ୍କ ସଫଳତାର କାହାଣୀ ଯେତିକି ରୋଚକ ସେତିକି ଚର୍ଚ୍ଚିତ । ନିଜ ପ୍ରତିଭା, ଉତ୍ସର୍ଗୀକୃତ ଭାବନା ପାଇଁ ସେ ଆଜି ବିରାଟ ଖ୍ୟାତି ପାଇଛନ୍ତି । ତାଙ୍କ ପ୍ରେମ କାହାଣୀ ମଧ୍ୟ ସମସ୍ତଙ୍କୁ ରୋମାଞ୍ଚିତ କରେ । ନିରନ୍ତର ଅଧ୍ୟବସାୟ ଓ ନିଷ୍ଠା ବଳରେ ସବୁକିଛି ସମ୍ଭବ । ଏହି କଥାର ଜ୍ୱଳନ୍ତ ଉଦାହରଣ ସେ । ଅନୁଗୁଳ ଆଠମଲ୍ଲିକର ଏକ ପଛୁଆ ଅଞ୍ଚଳ ଓ ଦଳିତ ପରିବାରରେ ଜନ୍ମ ହୋଇ ସେ ସଫଳତାର ଶିଖରରେ ପହଞ୍ଚିଛନ୍ତି । ମହାନନ୍ଦିଆ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ରେ ଅଛନ୍ତି । ତାଙ୍କ କାହାଣୀ ଅଗଣିତ ଜନତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଉଛି । ଲୋକଙ୍କୁ ତାଙ୍କ ସଫଳତା ପ୍ରେରିତ କରୁଛି ।
ନିକଟରେ ଭିଭା ଫାଲାଷ୍ଟିନ୍‌ ନାମକ ଜଣେ ଟ୍ୱିଟର୍‌ ୟୁଜର୍ସ ଡ. ପିକେ ମହାନନ୍ଦିଆଙ୍କ ସାହସିକ କାହାଣୀ ନିଜ ଟ୍ୱିଟର୍‌ ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ‘ଡ. ପିକେ ମହାନନ୍ଦିଆଙ୍କୁ ଭେଟନ୍ତୁ । ଭାରତର ପୂର୍ବାଞ୍ଚଳ ଜଙ୍ଗଲ(ଓଡ଼ିଶାର ଆଠମଲ୍ଲିକ)ରେ ତାଙ୍କର ଜନ୍ମ । ଯେତେବେଳେ ସେ ସ୍କୁଲ ଶିକ୍ଷା ଆରମ୍ଭ କଲେ ସେତେବେଳେ ଶିକ୍ଷକମାନେ କହିଲେ, ଅନ୍ୟ ପିଲାଙ୍କ ସହିତ ବସିବାକୁ ତାଙ୍କୁ ଅନୁମତି ଦିଆଯିବ ନାହିଁ । ତାଙ୍କୁ ନ ଛୁଇଁବା ପାଇଁ ଅନ୍ୟ ପିଲାମାନେ ଅଧିକ ସଚେତନତା ଅବଲମ୍ବନ କରିଥିଲେ ।

{"id":306055,"sizeSlug":"large"}

ଅସ୍ପୃଶ୍ୟତାର ପ୍ରକୃତ ଅର୍ଥ ମହାନନ୍ଦିଆ ସେଦିନ ଠିକ୍‌ ବୁଝିପାରିଥିଲେ । ଚିତ୍ର ଆଙ୍କିବା ତାଙ୍କର ନିଶା ଥିଲା । ସ୍କୁଲ ଶିକ୍ଷା ଶେଷ କରିବା ପରେ ୧୯୭୧ରେ ମହାନନ୍ଦିଆ ଦିଲ୍ଲୀ ସ୍ଥିତ ଆର୍ଟ କଲେଜରେ ନାମ ଲେଖାଇଲେ । ସେଠାରେ ସେ ଲଳିତ କଳା ଶିକ୍ଷା ଆରମ୍ଭ କଲେ । ପଢ଼ା ସାରିବା ତାଙ୍କ ପାଇଁ ଖୁବ୍‌ କଷ୍ଟକର ଥିଲା । କାରଣ ସେ ସ୍କଲାରସିପ୍‌ ବାବଦରେ ପାଉଥିବା ଅର୍ଥ ସବୁବେଳେ ତାଙ୍କ ପାଖରେ ପହଞ୍ଚୁନଥିଲା । ଦଳିତ ଭାବେ ଅସ୍ପୃଶ୍ୟତା ସାମ୍ନା କରୁଥିବାରୁ ଚାକିରି ପାଇବା ମଧ୍ୟ ତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା ।

{"id":306056,"sizeSlug":"large"}

ଦିନେ କିନ୍ତୁ ସବୁକିଛି ବଦଳିଗଲା । ସେଦିନ ସେ ଏକ ଶୋଭାଯାତ୍ରାରେ ଭାଗ ନେଇଥିଲେ । ଏହି ଶୋଭାଯାତ୍ରାଟି ଋଷର ପ୍ରଥମ ମହିଳା ମହାକାଶଚାରୀ ଭାଲେଣ୍ଟିନା ଟ୍ରେସ୍‌କୋଭାଙ୍କ ପାଇଁ ଥିଲା । ମହାନନ୍ଦିଆ ତରବର ହୋଇ ଟ୍ରେସ୍‌କୋଭାଙ୍କର ଏକ ଚିତ୍ର ଆଙ୍କିଲେ ଏବଂ ତାଙ୍କୁ ପ୍ରଦାନ କଲେ । ପରଦିନ ସମସ୍ତ ଖବରକାଗଜର ପୃଷ୍ଠାମଣ୍ଡନ କଲେ ମହାନନ୍ଦିଆ । ହେଡ୍‌ଲାଇନ୍‌ ଥିଲା ‘ମହାକାଶରୁ ଆସିଥିବା ମହିଳା ଜଙ୍ଗଲ ମଣିଷଙ୍କୁ ଭେଟିଲେ’ । ଖବରଟି ଜଙ୍ଗଲର ନିଆଁ ଭଳି ଚତୁର୍ଦ୍ଦିଗ ବ୍ୟାପିଗଲା । ରାତାରାତି ସେ ଚର୍ଚ୍ଚିତ ହୋଇଯାଇଥିଲେ । ଏହା ପରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଚିତ୍ର ଆଙ୍କିବାର ସୁଯୋଗ ତାଙ୍କୁ ମିଳିଲା । କର୍ନଟ୍‌ ପ୍ଲେସ୍‌ର ଫାଉଣ୍ଟେନ୍‌ (ପୁଲ୍‌) ତଳେ ସେ ବସି ଭାରତର ଆଇରନ୍‌ ଲେଡ଼ିଙ୍କ ଚିତ୍ର ଆଙ୍କିଲେ । ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଚିତ୍ର ଆଙ୍କିବାର ସୁଯୋଗ ପାଇଲେ ।

{"id":306057,"sizeSlug":"large"}

୧୯୭୫, ଡିସେମ୍ବର ୧୭ରେ ସ୍ୱିଡେନ୍‌ର ରାଜକୁମାରୀ ଚାରଲୋଟ୍‌ ଭନ୍‌ ଶେଡ୍‌ଭିନଙ୍କୁ ମହାନନ୍ଦିଆ ଭେଟିଥିଲେ। ଉଭୟଙ୍କ ଭିତରେ ଜାତିର ବିରାଟ ପ୍ରାଚୀର ସତ୍ତେ୍ୱ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଲା । ମହାନନ୍ଦିଆ ନିଜ ଜନ୍ମଭୂମି ଓଡ଼ିଶାର ଆଠମଲ୍ଲିକ ଯାଇ ଚାରଲୋଟ୍‌ଙ୍କୁ ବିବାହ କଲେ । ଚାରଲୋଟ୍‌ ସ୍ୱିଡେନ୍‌ରେ ରହି ଅଧ୍ୟୟନ କରୁଥିଲେ। ମହାନନ୍ଦିଆ ମଧ୍ୟ ଭାରତରେ ନିଜ କାମ କରୁଥିଲେ। ଏହି ସମୟରେ ସେମାନେ ପରସ୍ପରକୁ ଚିଠି ଲେଖୁଥିଲେ।

{"id":306058,"sizeSlug":"large"}

ଦିନେ ଚାରଲୋଟ୍‌ଙ୍କୁ ଭେଟିବା ପାଇଁ ମହାନନ୍ଦିଆ ସ୍ୱିଡେନ୍‌ ଯିବାକୁ ନିଷ୍ପତ୍ତି ନେଲେ । ଯାହା କିଛି ପାଖରେ ଥିଲା, ସବୁ ବିକ୍ରି କରି ଏକ ପୁରୁଣା ସାଇକେଲ କିଣିଲେ। ତା ପରେ ଆଉ ପଛକୁ ଚାହିଁଲେନି। ସାଇକେଲରେ ସ୍ୱିଡେନ୍‌ ଯାତ୍ରା ଆରମ୍ଭ କଲେ। ସ୍ୱିଡେନ୍‌ରେ ପହଞ୍ଚି ପତ୍ନୀଙ୍କୁ ଭେଟିବା ପାଇଁ ତାଙ୍କୁ ୫ ମାସ ସମୟ ଲାଗିଲା । ମହାନନ୍ଦିଆ ଏବେ ସ୍ୱିଡେନ୍‌ରେ ରହୁଛନ୍ତି। ଦୃଢ଼ ସଂକଳ୍ପ ଦ୍ୱାରା ସବୁ ବାଧାବିଘ୍ନ ଲଂଘିହେବ ବୋଲି ମହାନନ୍ଦିଆଙ୍କ କାହାଣୀ ପ୍ରମାଣ କରିଛି ।

{"id":306059,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.