ମଦ୍ୟପାନ କାରଣରୁ ପୃଥିବୀରେ ପ୍ରତିବର୍ଷ ୩୦ ଲକ୍ଷ ଲୋକଙ୍କ ମୃତ୍ୟୁ: ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ. ରାଜୁ

Published By : Prameya-News7 Bureau | August 24, 2022 IST

ଭୁବନେଶ୍ୱର ୨୪/୦୮: ମଦ୍ୟପାନ ଯୋଗୁଁ ପ୍ରତିବର୍ଷ ପୃଥିବୀରେ ପ୍ରାୟ ୩୦ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି । ଏହା ସମୁଦାୟ ମୃତ୍ୟୁର ପ୍ରାୟ ୫.୩ ପ୍ରତିଶତ । ତେଣୁ ମଦ୍ୟପାନ ଅଭ୍ୟାସକୁ ହ୍ରାସ କରିବା ପାଇଁ ସମସ୍ତ ପ୍ରଚେଷ୍ଟା ଆବଶ୍ୟକ ବୋଲି ପ୍ରଖ୍ୟାତ ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ଏନ.ଏନ.ରାଜୁ କହିଛନ୍ତି ।
ଭାରତରେ ପ୍ରତିବର୍ଷ ୨.୬ଲକ୍ଷ ମଦ୍ୟପାନ ଜନିତ ମୃତ୍ୟୁ ଘଟୁଥିବାବେଳେ ଏହି ଅଭ୍ୟାସ ପ୍ରାୟ ୨୦୦ ରୋଗର କାରଣ ହୋଇଥାଏ । ପୃଥିବୀର ସମୁଦାୟ ମୃତ୍ୟୁର ମଦ୍ୟପାନ ପାଇଁ ୭.୭ ପ୍ରତିଶତ ପୁରୁଷ ଓ ୨.୬ ପ୍ରତିଶତ ମହିଳା ମୃତ୍ୟୁବରଣ କରିଥାନ୍ତି । ଏହାଛଡା ୨୦ରୁ ୩୯ବର୍ଷ ମଧ୍ୟରେ ଥିବା ଯୁବବର୍ଗର୧୩.୫ ପ୍ରତିଶତ ମୃତ୍ୟୁ ମଦ୍ୟପାନ ଜନିତ ଅଟେ ବୋଲି ନିକଟରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ୍ ଆଣ୍ଡ୍‌ ସମ୍ ହସ୍ପିଟାଲ ଓ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟି (ଆଇପିଏସ୍‌)ର ମିଳିତ ଆୟୋଜନରେ ଅନୁଷ୍ଠିତ ଏକ କଂଟିନ୍ୟୁଇଙ୍ଗ୍ ମେଡିକାଲ ଏଜୁକେସନ (ସିଏମଇ) କାର୍ଯ୍ୟକ୍ରମରେ ଯୋଗ ଦେଇ ଡକ୍ଟର ରାଜୁ ଏହା କହିଥିଲେ ।

ଡକ୍ଟର ରାଜୁ ଇଣ୍ଡିଆନ ସାଇକ୍ରିୟାଟିଷ୍ଟସ ସୋସାଇଟିର ସଭାପତି ଅଛନ୍ତି । ପୃଥିବୀର ମଦ୍ୟ ଆବଶ୍ୟକତାର ୬୫ ପ୍ରତିଶତ ମଦ୍ୟ ଭାରତରେ ପ୍ରସ୍ତୁତ ହୋଇଥାଏ । ମଦ୍ୟପାନ ଯୋଗୁଁ ଅବସାଦ, ଉତ୍କଣ୍ଠା, ସାଇକୋସିସି ତଥା ଆକ୍ୟୁଟ ଷ୍ଟ୍ରେସ ଡିସଅର୍ଡର ଭଳି ସମସ୍ୟା ସୃଷ୍ଟି ହୁଏ ଓ ପରିଶେଷରେ ଏହା ଆତ୍ମହତ୍ୟାରେ ପରିଣତ ହୋଇଥାଏ ବୋଲି ସେ କହିଛନ୍ତି । ଏହା ସହ ମଦ୍ୟପାନ ସମସ୍ତ ଆତ୍ମହତ୍ୟାର ୨୨ପ୍ରତିଶତ ନିମନ୍ତେ ଦାୟୀ ଏବଂ ରାସ୍ତା ଦୁର୍ଘଟଣା ଛଡା ଘଟୁଥିବା ଅନ୍ୟାନ୍ୟ ଦୁର୍ଘଟଣା ଜନିତ ମୃତ୍ୟୁର ୨୦ ପ୍ରତିଶତ ଏହି କାରଣରୁ ହୁଏ । ଗତ ତିନି ବର୍ଷ ମଧ୍ୟରେ ମଦ୍ୟପାନ ଯୋଗୁଁ ୩୮,୦୦୦ ରାସ୍ତା ଦୁର୍ଘଟଣା ଘଟିଛି ବୋଲି ସେ କହିଥିଲେ ।

ଶିକ୍ଷା ଓ ଅନୁସନ୍ଧାନର କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର, ଆଇଏମଏସ ଓ ସମ୍ ହସ୍ପିଟାଲର ଡିନ ପ୍ରଫେସର (ଡ) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡଂଟ ପ୍ରଫେସର (ଡ) ପୁଷ୍ପରାଜ ସାମନ୍ତସିଂହାର, ଆଇପିଏସର ସର୍ବଭାରତୀୟ ସଂପାଦକ ଡ. ଅରବିନ୍ଦ ବ୍ରହ୍ମା, ଆଇପିଏସର ଓଡିଶା ଶାଖା ସଭାପତି ଡ. ପ୍ରଣବ ମହାପାତ୍ର ଓ ସଂପାଦକ ଡ. ଅଶ୍ରୁମୋଚନ ସାହୁ, ସମ ହସ୍ପିଟାଲ ମନସ୍ତତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୁରଜିତ ସାହୁ ଓ ପ୍ରଫେସର ଶୁଭେନ୍ଦୁ ନାରାୟଣ ମିଶ୍ର ମଧ୍ୟ ଏହି ସେମିନାରରେ ବକ୍ତବ୍ୟ ରଖିଥିଲେ ।

ସରକାରୀ ସ୍ତରରେ ମଦ୍ୟପାନର ମନ୍ଦ ପ୍ରଭାବକୁ ପ୍ରତିହତ କରିବା ନିମନ୍ତେ ପଦକ୍ଷେପର ଆବଶ୍ୟକତା ଥିବାବେଳେ ସରକାର ଏହାର ପ୍ରଚଳନ ଦ୍ୱାରା ଅଧିକ ଟିକସ ଆଦାୟ କରିବାକୁ ଉଦ୍ଦେଶ୍ୟ ରଖିବା ଦ୍ୱାରା ଜନ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି ବୋଲି ଡ. ରାଜୁ କହିଥିଲେ । ଗୁଜରାଟ, ବିହାର, ନାଗାଲାଣ୍ଡ ଓ ମଣିପୁର ଭଳି ୪ଟି ରାଜ୍ୟ ତଥା ଲାକ୍ଷାଦ୍ୱୀପରେ ମଦ୍ୟପାନକୁ ସଂପୂର୍ଣ୍ଣ ବା ଆଂଶିକ ଭାବେ ବନ୍ଦ କରାଯାଇଥିବା ପ୍ରକାଶ କରି ଡ.ରାଜୁ କହିଥିଲେ ଯେ ଜାତୀୟ ସ୍ତରରେ ଏକ ନିର୍ଦ୍ଦିଷ୍ଟ ପଲିସି ନଥିବାରୁ ଏ ବିଷୟରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁଡିକଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.