ବିନା ଆବେଦନରେ ପାଇଲେ ପଦ, ଜାଣନ୍ତୁ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକଙ୍କ ବିଷୟରେ ସବୁକିଛି

Published By : Prameya-News7 Bureau | September 23, 2022 IST

ନୂଆଦିଲ୍ଲୀ: ହାଇଦ୍ରାବାଦ ସ୍ଥିତ ଇଏସଆଇସି ହସ୍ପିଟାଲ ଏବଂ ମେଡିକାଲ କଲେଜର ଡିନ୍ ଡାକ୍ତର. ଏମ. ଶ୍ରୀନିବାସ ଦିଲ୍ଲୀ ଏମ୍ସର ନୂଆ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଏକ ଆଦେଶ ଜାରି କରାଯାଇଛି ।

ଡାକ୍ତର ଶ୍ରୀନିବାସ, ରଣଦୀପ ଗୁଲେରିଆଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିବେ । ୨୦୧୭ ମସିହାରୁ ଡାକ୍ତର ଗୁଲେରିଆ ଏହି ପଦରେ ଅଛନ୍ତି । ୨୦୧୬ରେ ହାଇଦ୍ରାବଦ ଯିବା ପୂର୍ବରୁ ଡାକ୍ତର ଶ୍ରୀନିବାସ ଦିଲ୍ଲୀ ଏମ୍ସର ଶିଶୁରୋଗ ଚିକିତ୍ସା ବିଭାଗର ପ୍ରଫେସର ଥିଲେ । ସରକାରୀ ଆଦେଶ ଅନୁସାରେ, କ୍ୟାବିନେଟ୍ ନିଯୁକ୍ତି ସମିତି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ), ନୂଆଦିଲ୍ଲୀର ନିର୍ଦ୍ଦେଶକ ପଦରେ ଡାକ୍ତର ଶ୍ରୀନିବାସଙ୍କ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି।

ଡାକ୍ତର ଗୁଲେରିଆଙ୍କୁ ୨୦୧୭ ମାର୍ଚ୍ଚ ୨୮ରେ ପାଞ୍ଚ ବର୍ଷ ପାଇଁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା । ତାଙ୍କ କାର୍ଯ୍ୟକାଳ ତିନି ତିନି ମାସ ପାଇଁ ଦୁଇ ଥର ବୃଦ୍ଧି ହୋଇଥିଲା । ଡାକ୍ତର ଗୁଲେରିଆଙ୍କ ଦ୍ୱିତୀୟ ବିସ୍ତାରିକ କାର୍ଯ୍ୟକାଳ ସେପ୍ଟେମ୍ୱର ୨୩ରେ ଶେଷ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏସିସି ଜୁନ ୨୦ରେ ଏମ୍ସର ନିର୍ଦ୍ଦେଶକ ପଦ ପାଇଁ ଡାକ୍ତରଙ୍କ ଏକ ସୂଚୀ ମଗାଯାଇଥିଲା । ଏହାପରେ ନ୍ୟୁରୋସାଇନ୍ସ ସେଣ୍ଟରର ମୁଖ୍ୟ ପଦ୍ମ ଶ୍ରୀବାସ୍ତାବ, ଆଇସିଏମଆର ପୂର୍ବତନ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ, ଜାବାହାରଲାଲ ଇନଷ୍ଟିଚ୍ୟୁଟ ଅଫ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ, ପୁଡୁଚେରୀର ନିର୍ଦ୍ଦେଶକ ଡାକ୍ତର ରାକେଶ ଅଗ୍ରୱାଲଙ୍କ ନାଁ ଉପରେ ଚର୍ଚ୍ଚ ହୋଇଥିଲା।

ଏହାପରେ ହାଇଦ୍ରାବାଦ ଇଏସଆଇସି ହସ୍ପିଟାଲର ଏବଂ ମେଡିକାଲ କଲେଜର ଡିନ୍ ଡାକ୍ତର. ଏମ.ଶ୍ରୀନିବାସ ଏବଂ ଶ୍ରୀ ଚିତ୍ରା ତିରୁନଲ ଇଷ୍ଟିଚ୍ୟୁଟ୍ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲଜିର ନିର୍ଦ୍ଦେଶକ ସଞ୍ଜୟ ବିହାରୀଙ୍କ ନାଁକୁ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟି ଦ୍ୱାରା ସର୍ଟଲିଷ୍ଟ କରାଯାଇଥିଲା ।

ତେବେ ଖବର ଅନୁସାରେ, ଡାକ୍ତର ଶ୍ରୀନିବାସ ଏବଂ ଡାକ୍ତର ବିହାରୀଙ୍କ ନାଁରେ ଚୂଡାନ୍ତ ମଞ୍ଜୁରୀ ପାଇଁ ଏସିସିକୁ ପଠାଯାଇଥିଲା । ତେବେ ସବୁଠୁ କୌତୁହଳର ବିଷୟ ହେଲା ଡାକ୍ତର ଶ୍ରୀନିବାସ ଏବଂ ଡାକ୍ତର ବିହାରୀଙ୍କ ମଧ୍ୟରୁ କେହି ମଧ୍ୟ ଏହି ପଦ ପାଇଁ ଆବେଦନ କରି ନଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.