କଂଗ୍ରେସ ସଭାରେ ଡାକ୍ତର ଦାମୋଦର ରାଉତ : ବିଜେପିକୁ କଲେ କଟାକ୍ଷ

Published By : Prameya-News7 Bureau | October 03, 2018 IST

ଭୁବନେଶ୍ବର ୩|୧୦: ଗତକାଲି କଂଗ୍ରେସ କାର୍ଯ୍ୟାଳୟ ପରିସରରେ କଂଗ୍ରେସ ଦ୍ବାରା ଆୟୋଜିତ ଏକ ବୈଠକରେ ଡାକ୍ତର ଦାମୋଦର ରାଉତଙ୍କୁ ଦେଖି ସମସ୍ତଙ୍କ ମଧ୍ୟ ଉତ୍ସୁକତା ବଢିଯାଇଥିଲା । ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ଦାମୋଦର ରାଉତ ହୁଏତ କଂଗ୍ରେସରେ ଯୋଗ ଦେବାପାଇଁ ଯୋଜନା କରୁଥାଇପାରନ୍ତି ବୋଲି କିଛି ସମୟ ପାଇଁ ସମସ୍ତଙ୍କ ଧାରଣା ହୋଇଥିଲା । ତେବେ ନିଜ ବକ୍ତବ୍ୟ ସାରି ମଞ୍ଚ ଉପରୁ ତଳକୁ ଓହ୍ଲାଇବା ମାତ୍ରେ ଡାକ୍ତର  ରାଉତ ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିଥିଲେ ଯେ, ସେ କଂଗ୍ରେସରେ ଯୋଗଦେବାର ପ୍ରଶ୍ନ ଉଠୁନାହିଁ । ଯେହେତୁ ଗାନ୍ଧୀଜୟନ୍ତୀ ଅବସରରେ ସମ୍ବିଧାନ ବଞ୍ଚାଅ ଶୀର୍ଷକ ଆଲୋଚନା ପାଇଁ କଂଗ୍ରେସ ସର୍ବଦଳୀୟ ସଭା ଡାକିଥିଲା ସେଥିପାଇଁ ସେ ଏହି ସଭାରେ ଯୋଗ ଦେଇଥିଲେ । ବହିଷ୍କାର ରାଗ ସୁଝାଇବାକୁ ଯାଇ ପ୍ରାୟ ସବୁ ଯାଗାରେ ସେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ଦେଖିବାକୁ ମିଳୁଛି । କିନ୍ତୁ ଗତକାଲି ଡାକ୍ତର ରାଉତ ବିଜେପିକୁ ଅଧିକ ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଅ ପ୍ରସଙ୍ଗରେ ଡାକ୍ତର ରାଉତ କହିଥିଲେ ଯେ, ଗଣତନ୍ତ୍ର କୋଉଠି ଅଛି ଯେ, ତାହା ବଞ୍ଚାଇବାକୁ ଆଲୋଚନା କରାଯିବ । କେନ୍ଦ୍ରରେ ଦଳତନ୍ତ୍ର ଚାଲିଥିବା ବେଳେ ରାଜ୍ୟରେ ଦଳତନ୍ତ୍ର ଚାଲିଛି ବୋଲି ସେ କହିଥିଲେ । ଭାରତୀୟ ଜନତା ପାର୍ଟିର କୌଣସି ସ୍ଥିତି ନାହିଁ କିନ୍ତୁ ସେ ଦଳର କେନ୍ଦ୍ରୀୟ ନେତାମାନେ ୧୨୦ ଆସନରେ ବିଜୟୀ ହେବାର ସ୍ବପ୍ନ ଦେଖୁଛନ୍ତି ବୋଲି କହି କଟାକ୍ଷ କରିଥିଲେ । ସେହିଭଳି କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ରାଜ୍ୟରେ ହେଉଥିବା ପ୍ରକଲ୍ପକୁ ଆସି ସିଧାସଳଖ ଉଦଘାଟନ କରୁଛନ୍ତି । ଏଭଳି ପରମ୍ପରା ଆଗରୁ ନଥିଲା ବୋଲି ଡାକ୍ତର ଦାମ ରାଉତ କହିଛନ୍ତି । ଅନ୍ୟ ପକ୍ଷରେ କଂଗ୍ରେସ ଦଳ ସଂପର୍କରେ ଡାକ୍ତର ରାଉତ କୌଣସି ଟିପ୍ପଣୀ ଦେଇନଥିଲେ । ସୂଚନା ଯୋଗ୍ୟ ଯେ, କଂଗ୍ରେସ ଡାକିଥିବା ସର୍ବଦଳୀୟ ସଭାରେ ଡାକ୍ତର ରାଉତଙ୍କ ବ୍ୟତୀତ ବହୁଜନ ସମାଜବାଦୀ ପାର୍ଟି ଏବଂ କିଛି ବାମପନ୍ଥୀ ନେତାଙ୍କୁ ଦେଖିବାକୁ ମିଳିଥିଲା । ବିଜେପିକୁ ଚେକ୍ ଦେବାପାଇଁ  କଂଗ୍ରେସ ଅନ୍ୟାନ୍ୟ ଦଳମାନଙ୍କୁ ଏକାଠି କରିବାଲାଗି ଉଦ୍ୟମ କରୁଛି ବୋଲି ଏଥିରୁ ସଂକେତ ମିଳୁଥିବା ଆଲୋଚନା ହେଉଛି । ଗତକାଲିର ସଭାରେ ଡାକ୍ତର ଦାମୋଦର ରାଉତ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.