ଜଜଙ୍କ ସଂଖ୍ୟା ଦୁଇ ଗୁଣ କରି ଦେଲେ ସମସ୍ୟାର ସମାଧାନ ହେବ ନାହିଁ, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 29, 2022 IST

ନୂଆଦିଲ୍ଲୀ: ଜଜଙ୍କ ସଂଖ୍ୟା ଦୁଇ ଗୁଣ କରି ଦେଲେ ସମସ୍ୟାର ସମାଧାନ ହେବ ନାହିଁ। ଦେଶର ହାଇକୋର୍ଟ ଏବଂ ନିମ୍ନ ଅଦାଲତଗୁଡିକରେ ଜଜଙ୍କ ସଂଖ୍ୟା ଦୁଇ ଗୁଣ କରିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଅଶ୍ଵିନ ଉପାଧ୍ୟାୟ ଏହି ଆବେଦନ କରିଥିଲେ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ ନରସିମାହ ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ଜଜଙ୍କ ସଂଖ୍ୟା ଦୁଇ ଗୁଣ କରି ଦେଲେ ବି ସମସ୍ୟାର କୌଣସି ସମାଧାନ ହେବ ନାହିଁ। ଏଥିରେ ପଡି ରହିଥିବା ମାମଲାର ସମାଧାନରେ କୌଣସି ସଫଳତା ମିଳିବାର ନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

କୋର୍ଟ କହିଛନ୍ତି, ଏହି ସମସ୍ତ ଉପାୟ ଲୋଭନୀୟ। ନିକଟରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ୧୬୦ ଖାଲି ପଦବୀ ପୂରଣ ହୋଇ ପାରି ନାହିଁ ଆଉ ଆମେ କଥା ହେଉଛନ୍ତି ୩୨୦ ପଦର। ବମ୍ବେ  ହାଇକୋର୍ଟ ଉପରେ ନଜର ପକାଇଲେ ସେଠାରେ ଆନୁସଙ୍ଗିକ ଭିତ୍ତିଭୂମିର ଅଭାବ ରହିଛି। ଏବେ ଯେତେ ଖାଲି ପଦ ରହିଛି, ତାକୁ ଭରିବାରେ କେତେ କଠିନକର ତାହା ଦେଖିବା ଜରୁରୀ ଅଟେ।

ସୁପ୍ରିମକୋର୍ଟ କହିଛନ୍ତି, ଜଜଙ୍କ ଅଭାବ ଦୂର କରିବା କୌଣସି ସମାଧାନ ନୁହେଁ। ଏହି ପରି ସାଧାରଣ ଜନସ୍ଵାର୍ଥ ଯାଚିକା ଉପରେ ଶୁଣାଣି କରିବାର କୌଣସି ଆବଶ୍ୟକତା ନାହିଁ। ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ କହିଛନ୍ତି, ଏମିତି ଆବେଦନ ଅଦାଲତର ସମୟ ବର୍ବାଦ କରିଥାଏ। ଏଥିପାଇଁ ଜରିମାନା ବି ଲଗାଯାଇପାରେ। ଅନ୍ୟପକ୍ଷେ ଆଇନଜୀବୀ ଉପାଧ୍ୟାୟ ନିଜର ଯୁକ୍ତି ବାଢି କହିଛନ୍ତି ଯେ, ଦେଶର ବହୁ ସଂଖ୍ୟାରେ ଲୋକେ ଅଦାଲତଗୁଡିକରେ ପଡି ରହିଥିବା କେସ୍‌କୁ ନେଇ ହଇରାଣ ହରକତ ହେଉଛନ୍ତି।

ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି, କେବଳ ଜଜଙ୍କ ସଂଖ୍ୟା ବଢାଇ ଦେଲେ ପଡି ରହିଥିବା କେସ୍‌ର ସମାଧାନ ହୋଇ ପାରିବ ନାହିଁ। ଆବେଦନ ଖାରଜ କରାଯିବା ସହ କୋର୍ଟ କହିଛନ୍ତି ଯେ, ଖାଲି ପଡିଥିବା ପଦବୀ ଉପରେ ଅଧ୍ୟୟନ କରାଯାଇ ନୂତନ ଆବେଦନ ଦାଖଲ କରାଯାଇ ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.