ଅନ୍ଧ ବିଶ୍ବାସର କରୁଣ ପରିଣତି : ଗୁଣି ଗାରେଡ଼ି ସଂଦେହରେ ଆଇ ଓ ନାତିକୁ ପିଟିପିଟି ହତ୍ୟା
20/08/2019 at 5:14 PM

ବଡବିଲ ୨୦|୮: ପୁଣି ସାମ୍ନାକୁ ଆସିଲା ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସଂଦେହରେ ଜେଜେମା ଓ ସମ୍ପର୍କୀୟ ନାତିକୁ ନିର୍ମମ ହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ନୟାଗଡ଼ ନେଙ୍କଡ଼ାପାଲି ଗାଁରେ । ଘଟରାରେ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

କେନ୍ଦୁଝରରେ ଡବଲ ମର୍ଡ଼ର । ଗୁଣି ଗାରେଡ଼ି ସଂଦେହରେ ଦୁଇ ଦୁଇ ଜଣଙ୍କୁ ହତ୍ୟା । ସ୍ଥାନୀୟ ବାମେବାରୀ ଥାନା ନୟାଗଡ଼ ନେଙ୍କଡ଼ାପାଲି ଗାଁରେ ୭୫ବର୍ଷିୟା ବୃଦ୍ଧା ସୁବାସ ମୁଣ୍ଡା ଏବଂ ତାଙ୍କ ସମ୍ପର୍କୀୟ ନାତି ଚୈତନ୍ୟ ମୁଣ୍ଡାଙ୍କୁ କିଛି ଲୋକ ପିଟି ପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବାମେବାରୀ ଥାନା ପୋଲିସ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରିବା ସହ ଛାନଭିନ୍ ଜାରି ରଖିଛି । ଘଟଣାରେ ୩ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ ।

ଘଟଣାରେ ବିଜୁ ମୁଣ୍ଡା, ରାମ ମୁଣ୍ଡା ଏବଂ ସାନୁ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ କାଳେ ସୁବାସ ମୁଣ୍ଡାଙ୍କ ଗୁଣି ଗାରେଡ଼ି ଯୋଗୁଁ ଝିଅର ଦେହ ଖରାପ ହେଉଥିବା ସଂଦେହ କରିଥିଲେ ରାମ ମୁଣ୍ଡାଙ୍କ ପରିବାର ଲୋକ । ଏହାକୁ ନେଇ ଗଲା ରବିବାର ବୃଦ୍ଧା ସୁବାସ ମୁଣ୍ଡାଙ୍କୁ ମଧ୍ୟ ରାମ ମୁଣ୍ଡାଙ୍କ ପରିବାର ଲୋକ ମାଡ଼ ମାରିଥିବା କୁହାଯାଉଛି । ତେଣୁ ସୋମବାର ରାତିରେ ଘଟିଥିବା ହତ୍ୟାକାଣ୍ଡରେ ଏମାନଙ୍କ ହାତ ଥାଇପାରେ ବୋଲି ସଂଦେହ କରୁଛନ୍ତି ଗ୍ରାମବାସୀ ।

କେନ୍ଦୁଝର ଜିଲ୍ଲାରେ ପୁଣି ଥରେ ସାମ୍ନାକୁ ଆସିଛି ଅନ୍ଧ ବିଶ୍ବାସର କରୁଣ ପରିଣତି । ଜିଲ୍ଲାପ୍ରଶାସନ ତରଫରୁ ଅନ୍ଧବିଶ୍ବାସ ଦୂର କରିବା ପାଇଁ ବିଭିନ୍ନ ପ୍ରକାର ପ୍ରୟାସ କରାଯାଉଥିଲେ ମଧ୍ୟ ଏବେ ବି ସଚେତନତା ଅଭାବରୁ ବାରମ୍ବାର ଏଭଳି କାଣ୍ଡ ଦେଖିବାକୁ ମିଳୁଛି ।