‘ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ’; ଦୂରଦର୍ଶନର ଗେରୁଆ ରଙ୍ଗକୁ ନେଇ ତାତିଲେ ବିରୋଧୀ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ,୨୦/୦୪: 'ପ୍ରସାର ଭାରତୀ ନୁହେଁ ପ୍ରଚାର ଭାରତୀ' । ସରକାରୀ ପ୍ରସାରକ ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନକୁ ନେଇ ତାତିଲେ ବିରୋଧୀ । କଂଗ୍ରେସର ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି, ସମସ୍ତ ସରକାରୀ ସଂସ୍ଥା ଗୁଡ଼ିକୁ ସରକାର କବଜା କରିବାକୁ ପ୍ରୟାସ କରୁଛନ୍ତି । ମନୀଷ ତ୍ବିଆରୀ ୟୁପିଏ ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରହିଥିଲେ । ସେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ବିଜେପି ସରକାର ଗେରୁଆକରଣ ଏବଂ ସରକାର ସଂସ୍ଥାଗୁଡ଼ିକୁ କବଜା କରିବାକୁ ଚେଷ୍ଟା କରୁଛନ୍ତି । ଏହି ପଦକ୍ଷେପ ଭାରତର ଜନସାଧାରଣ ପ୍ରସାରଣକାରୀଙ୍କ ନିରପେକ୍ଷତା ଏବଂ ବିଶ୍ୱସନୀୟତାକୁ ସ୍ପଷ୍ଟ ଭାବରେ କ୍ଷୁର୍ଣ୍ଣ କରୁଛି।'

ତୃଣମୁଲ କଂଗ୍ରେସର ରାଜ୍ୟସଭା ସାଂସଦ ତଥା ପ୍ରସାର ଭାରତୀ (ଡିଡି, ଏଆର୍) ର ପୂର୍ବତନ ସିଇଓ ଜବାହର ସରକାର ଏହି ଲୋଗୋ ପରିବର୍ତ୍ତନକୁ ସମାଲୋଚନା କରି ଏହାକୁ 'ଦୂରଦର୍ଶନର ଗରୁଆକରଣ' ବୋଲି କହିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, 'ଜାତୀୟ ପ୍ରସାରକ ଦୂରଦର୍ଶନ ଏହାର ଐତିହାସିକ ଫ୍ଲାଗସିପ୍ ଲୋଗୋକୁ ଗେରୁଆ ରଙ୍ଗରେ ରଙ୍ଗିନ କରିଛି। ଏହାର ପୂର୍ବତନ ସିଇଓ ଭାବରେ ମୁଁ ଚିନ୍ତାର ସହିତ ଏହାର ଗେରୁଆକରଣକୁ ଦେଖୁଛି ଏବଂ ଅନୁଭବ କରୁଛି ଯେ, ଏହା ଆଉ ପ୍ରସାର ଭାରତୀ ନୁହେଁ, ଏହା ହେଉଛି ପ୍ରଚାର ଭାରତୀ।'

ସରକାରୀ ପ୍ରସାରକ ଦୂରଦର୍ଶନ ଏହାର ଐତିହାସିକ ଲୋଗୋର ରଙ୍ଗକୁ ଲାଲରୁ ଗେରୁଆକୁ ପରିବର୍ତ୍ତନ କରିଛନ୍ତି। ଡିଡି ନ୍ୟୁଜ୍ ର ଅଫିସିଆଲ୍ ଏକ୍ସ ହ୍ୟାଣ୍ଡେଲରୁ ଏ ସମ୍ପର୍କରେ ଏକ ଘୋଷଣା କରାଯାଇଥିଲା ଯେଉଁଥିରେ କୁହାଯାଇଛି ଯେ, 'ଯଦିଓ ଆମର ମୂଲ୍ୟ ସମାନ ରହିଛି, କିନ୍ତୁ ଏବେ ଆମେ ବର୍ତ୍ତମାନ ଏକ ନୂତନ ଅବତାରରେ ସାମ୍ନାକୁ ଆସିଛୁ। ଆମେ ଏମିତି ଏକ ସମ୍ବାଦ ଯାତ୍ରା ପାଇଁ ପ୍ରସ୍ତୁତ ହେଉଛୁ...ଯାହା ଆଗରୁ କେବେବି ହୋଇନଥିଲା। ଆପଣ ଏକ ନୂଆ ଦୂରଦର୍ଶନ ସମ୍ବାଦକୁ ଅନୁଭବ କରିବେ।' ସେପଟେ କିନ୍ତୁ ବିରୋଧୀ ଦୂରଦର୍ଶନ ଲୋଗୋର ରଙ୍ଗ ପରିବର୍ତ୍ତନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। 

 

କାହିଁକି ହେଲା ଲୋଗୋ ରଙ୍ଗ ପରିବର୍ତ୍ତନ?

ଦୂରଦର୍ଶନ ପଦକ୍ଷେପକୁ ରକ୍ଷା କରି ପ୍ରସାର ଭାରତୀ ସିଇଓ ଗୌରବ ଦ୍ୱିବେଦୀ କହିଛନ୍ତି, 'ନୂଆ କମଳା ରଙ୍ଗର ଲୋଗୋ ଦେଖିବାକୁ ଆକର୍ଷଣୀୟ ଏବଂ ଭିଜୁଆଲ୍ ଆଷ୍ଟେଟିକ୍ସକୁ ଦୃଷ୍ଟିରେ ରଖି ଏହି ପରିବର୍ତ୍ତନ କରାଯାଇଛି। ଲୋଗୋର ରଙ୍ଗ କମଳା ବା ନାରଙ୍ଗି ଗେରୁଆ ନୁହେଁ। ସେ କହିଛନ୍ତି, 'କେବଳ ଲୋଗୋ ବଦଳିନାହିଁ, ବରଂ ଆମେ ଡିଡିର ସମ୍ପୂର୍ଣ୍ଣ ରୂପ ଏବଂ ଅନୁଭବକୁ ଉନ୍ନତ କରିଛୁ। ଏହା ଦୁର୍ଭାଗ୍ୟଜନକ ଯେ ଲୋକମାନେ ଏ ବିଷୟରେ କଠୋର ମନ୍ତବ୍ୟ ଦେଉଛନ୍ତି । ସେପଟେ ଦୂରଦର୍ଶନ ଲୋଗୋର ରଙ୍ଗ ଏକ ଜାତୀୟ ରାଜନୈତିକ ଦଳର ପତାକା ରଙ୍ଗ ସହିତ ସମାନତା ରହିଥିବାରୁ ଏହାକୁ ନେଇ ଚିହିଁକି ଉଠିଛନ୍ତି ବିରୋଧୀ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.