ଜାମ୍ମୁ-କାଶ୍ମୀରରେ ବାହାର ଲୋକଙ୍କ ଭୋଟ୍ ଅଧିକାର ଚାହୁଁନା: ଫାରୁକ ଅବଦୁଲ୍ଲା
10/09/2022 at 9:29 PM

ଶ୍ରୀନଗର: ଆଜି ଜାମ୍ମୁ ଓ କାଶ୍ମୀରରେ ସର୍ବଦଳୀୟ ବୈଠକ ହୋଇଛି। ନ୍ୟାସ୍ନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ ଘରେ ଏହି ବୈଠକ ହୋଇଛି। ଜାମ୍ମୁ ଓ କାଶ୍ମୀରରେ ବାହାର ଲୋକଙ୍କୁ ଭୋଟିଂ ଅଧିକାର ମିଳୁ ଏକଥା ସେ ଚାହାନ୍ତି ନାହିଁ ବୋଲି ପାରୁକ ଅବଦୁଲ୍ଲା କହିଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ସୁଚନା ଦେଇ ସେ କହିଛନ୍ତି “ ସବୁ ଦଳର ନେତାମାନେ ବୈଠକରେ ଯୋଗ ଦେଇଥିଲେ। ଜାମ୍ମୁ-କାଶ୍ମୀରରେ କେହି ବାହାର ଲୋକ ଭୋଟ ଦେବାର ଅଧିକାର ପାଉ ଏକଥା ଆମେ ଚାହୁଁନୁ। ଏଥିପାଇଁ ଜାମ୍ମୁ-କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କର ଆଶ୍ୱାସନା ବି ଆମର ଦରକାର ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଦିଲ୍ଲୀର ଦୂରତା ଓ ଦିଲ୍ର ଦୁରତା କମାଇବେ। ହେଲେ ସେ ଏପର୍ଯ୍ୟନ୍ତ କିଛି ବି କରି ନାହାନ୍ତି। ”
ଜାମ୍ମୁ-କାଶ୍ମୀରର ସଂଶୋଧିତ ଭୋଟର ତାଲିକାରେ ନୂଆ ଭୋଟରଙ୍କ ନାମ ଜୋଡ଼ାଯିବା ନେଇ କହିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ହ୍ରିଦେଶ କୁମାର। ସିଇଓଙ୍କ ଏଭଳି ମନ୍ତବ୍ୟ ପରେ କେନ୍ଦ୍ର ଶାସିତ ଅଞ୍ଚଳର ନେତାମାନେ ସର୍ବଦଳୀୟ ବୈଠକ ଡକାଇଥିଲେ।
ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମୁଖ୍ୟ ମେହେବୁବା ମୁଫ୍ତୀ, ପିପୁଲ୍ସ ଆଲିଆନ୍ସ ଫର ଗୁପକାର ଡିକ୍ଲାରେସନର ପ୍ରବକ୍ତା ୟୁଶୁଫ ତାରିଗାମୀ, ନେସନାଲ କନଫରେନ୍ସ ଭାଇସ ପ୍ରେସିଡେଣ୍ଟ ଉମାର ଅବଦୁଲ୍ଲାଙ୍କ ସମେତ ଅନ୍ୟମାନେ ବୈଠକରେ ଯୋଗ ଦେଇଥିଲେ। କଂଗ୍ରେସ ବି ଏହି ବୈଠକରେ ଯୋଗ ଦେଇଥିଲା।