ନୂଆଦିଲ୍ଲୀ: ନଭେମ୍ବର ୧୯ ତାରିଖରେ ବିଶ୍ୱକପ୍ ଫାଇନାଲ୍ ଥିବା ବେଳେ ଶିଖ୍ମାନଙ୍କୁ ଏୟାର ଇଣ୍ଡିଆରେ ନଯିବାକୁ ଧମକ ଦେଇଛି ଖଲିସ୍ତାନ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ। ସେଦିନ ଯେଉଁମାନେ ଏୟାର ଇଣ୍ଡିଆରେ ଭାରତ ଯିବାକୁ ଯୋଜନା କରୁଛନ୍ତି ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ପନ୍ନୁ କହିଛି। ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଜାରି କରି ଏପରି କହିଛି ପନ୍ନୁ।
ପନ୍ନୁ କହିଛି “ଆମେ ଶିଖ୍ ଲୋକମାନଙ୍କୁ କହୁଛି ଯେ ସେମାନେ ନଭେମ୍ବର ୧୯ ତାରିଖରେ ଏୟାର ଇଣ୍ଡିଆରେ ଯାଆନ୍ତୁ ନାହିଁ। ସେଦିନ ବିଶ୍ୱସ୍ତରରେ ଷ୍ଟ୍ରାଇକ୍ ହେବ। ନଭେମ୍ବର ୧୯ ତାରିଖରେ ଏୟାର ଇଣ୍ଡିଆରେ ଗସ୍ତ କରନ୍ତୁ ନାହିଁ। ନହେଲେ ଆପଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଇପାରେ।”
ନଭେମ୍ବର ୧୯ ତାରିଖରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବନ୍ଦ ରହିବ ଓ ଏହାର ନାଁ ପରିବର୍ତ୍ତନ କରାଯିବ ବୋଲି ପନ୍ନୁ ଭିଡିଓରେ କହିଛି।
ପଢ଼ନ୍ତୁ-ପାକିସ୍ତାନ ବାୟୁସେନା ବେସ୍ରେ ଆତଙ୍କବାଦୀ ଆକ୍ରମଣ,୯ ମୃତ
ଅକ୍ଟୋବର ୧୦ ତାରିଖରେ ମଧ୍ୟ ଏକ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେଇଥିଲା ପନ୍ନୁ। ଇସ୍ରାଏଲ-ପାଲେଷ୍ଟାଇନ୍ ଠାରୁ ଶିଖ। ନହେଲେ ଭାରତରେ ମଧ୍ୟ ସମାନ ଭାବରେ ବିଦ୍ରୋହ ଆରମ୍ଭ ହେବ ବୋଲି ପନ୍ନୁ କହିଥିଲା।
ପଞ୍ଜାବର ଅମୃତସରରେ ଜନ୍ମିତ ପନ୍ନୁ ୨୦୧୯ ଠାରୁ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ରହିଛି। ସେ ଭାରତ ଛାଡ଼ି ଆମେରିକାର ଶରଣ ନେଇଥିବା ବେଳେ ଭାରତ ସରକାର ତାଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଏନ୍ଆଇଏ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ସାରା ଦେଶ ଓ ପଞ୍ଜାବରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ଅଭିଯୋଗ ପନ୍ନୁ ନାଁରେ ରହିଛି। ଏଣୁ ୩ ଫେବ୍ରୁଆରୀ ୨୦୨୨୧ରେ ପନ୍ନୁ ନାଁରେ ଜାମିନ ବିହୀନ ପରୱାନା ଜାରି କରିଛି ଏନ୍ଆଇଏ। ଗତବର୍ଷ ପନ୍ନୁକୁ ଘୋଷିତ ଅପରାଧି ବୋଲି ଘୋଷଣା କରାଯାଇଥିଲା।