ଧନତେରସରେ ଭୁଲରେ ବି କିଣନ୍ତୁ ନାହିଁ ଏହି ସବୁ ଜିନିଷ, ରୁଷିଯିବେ ଲକ୍ଷ୍ମୀ
7/11/2023 at 5:20 PM

ଦିପାବଳୀର ଦୁଇ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ। ଏହି ଦିନ ଧନ୍ୱନ୍ତରୀ, କୁବେର ଓ ମାତା ଲକ୍ଷ୍ମୀଙ୍କ ପୂଜାର ବିଧାନ ରହିଛି। ଧନତେରସ ଦିନ କିଣାକିଣି କରିବା ଅତ୍ୟନ୍ତ ଶୁଭ ମନେ କରାଯାଏ। ଧାର୍ମିକ ମାନ୍ୟତା ଅନୁସାରେ ଧନତେରସରେ କିଣାକିଣି କଲେ ଘରକୁ ସୁଖସମୃଦ୍ଧିର ଆଗମନ ହୋଇଥାଏ। ହେଲେ ଏହି କିଣାକିଣିରେ ଏପରି ବି କିଛି ଜିନିଷ ଅଛି ଯାହାକୁ କିଣି ଘରକୁ ଆଣିଲେ ଅଶୁଭ ମନେ କରାଯାଏ। ଏଭଳି ଜିନିଷ ଘରକୁ ଦାରିଦ୍ରତା ଓ ଅଶାନ୍ତି ଡାକି ଆଣିଥାଏ।

ଧନତେରସ ଦିନ ପ୍ଲାଷ୍ଟିକ୍ ସାମଗ୍ରୀ ଆଦୌ କିଣିବା ଉଚିତ ନୁହେଁ। କୁହାଯାଏ ଏହି ଦିନ ଘରକୁ ପ୍ଲାଷ୍ଟିକ୍ ସାମଗ୍ରୀ ଆଣିଲେ ଘରକୁ ଆର୍ଥିକ ସଂକଟ ଆସିଥାଏ। ପରିବାରକୁ ଆର୍ଥିକ ଅନଟନ ଦେଇ ଗତି କରିବାକୁ ହୋଇଥାଏ। କେବଳ ପ୍ଲାଷ୍ଟିକ୍ ନୁହେଁ ଏହି ଦିନ ଲୁହାତିଆରି ସାମଗ୍ରୀ ମଧ୍ୟ ଘରକୁ ଆଣିବା କଥା ନୁହେଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରସରେ ଲୁହା ତିଆରି ସାମଗ୍ରୀ କିଣିଲେ ଉନ୍ନତି ହୋଇ ନଥାଏ। ଏଣୁ ଧନତେରସ ଭଳି ଦିନରେ ଏଭଳି ସାମଗ୍ରୀ କିଣିବାରୁ ବର୍ତ୍ତନ୍ତୁ। ଏହା ଛଡା ଚିନା ମାଟିରେ ନିର୍ମିତ ସାମଗ୍ରୀ କିଣିବାରୁ ମଧ୍ୟ ବର୍ତ୍ତନ୍ତୁ।

ଚିନାମାଟିରେ ତିଆରି ସାମଗ୍ରୀ କିଣିଲେ ଘରକୁ ଦାରିଦ୍ର୍ୟତା ପ୍ରବେଶ କରିଥାଏ ଓ ଘରର ସଦସ୍ୟଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ସେହିପରି ଧନତେରସ ଦିନ କାଚ ଜିନିଷ ମଧ୍ୟ କିଣାଯାଏନି। କୁହାଯାଏ କାଚର ସମ୍ପର୍କ ରାହୁ ଗ୍ରହ ସହିତ ରହିଛି ଓ ଏହି ଗ୍ରହକୁ ଜ୍ୟୋତିଷ ଶାସ୍ତ୍ରରେ ଅଶୁଭ ଗ୍ରହ ମନେ କରାଯାଏ। ଏଣୁ ଧନତେରସରେ କାଚ ସାମଗ୍ରୀ କିଣିଲେ ଘରକୁ ରାହୁଙ୍କ ପ୍ରବେଶ ହୋଇପାରେ ବୋଲି କୁହାଯାଏ, ଯେଉଁଥି ଯୋଗୁ ଆପଣଙ୍କୁ ଅନେକ ସମସ୍ୟାରେ ପଡିବାକୁ ହୋଇଥାଏ।

ଧନତେରସରେ ଆଲୁମିନିୟମ ସାମଗ୍ରୀ ମଧ୍ୟ କିଣିବା କଥା ନୁହେଁ। ଏପରି ସାମଗ୍ରୀ କିଣିଲେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଘରେ ଧନ ହ୍ରାସ ହେବାରେ ଲାଗିଥାଏ। ତେବେ ଧନତେରସରେ ସୁନା, ରୂପା, ଯାନବାହନ, ସୁନା ଓ ରୂପାର ଗହଣା, କଂସା ଅଥବା ପିତଳ ନିର୍ମିତ ବାସନକୁସନ, ଝାଡୁ, ଲୁଣ, ସୁନା ଓ ରୂପା ମୁଦ୍ରା କିଣାଯାଇ ପାରେ। ଏହି ସବୁ ସାମଗ୍ରୀ କିଣିଲେ ଘରକୁ ଉନ୍ନତି ଆସିବା ସହ ପରିବାରରେ ସୁଖ ସମୃଦ୍ଧି ଆସିଥାଏ।