ୟୁରୋପ ପାଇଁ ଆମେରିକା ବନ୍ଦ

Published By : Prameya-News7 Bureau | March 12, 2020 IST

ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତିଙ୍କୁ ସାଂସଦମାନେ ଜରୁରୀକାଳୀନ ବୈଠକ ଡାକିବାକୁ କହିଛନ୍ତି | ଏହାସହ ଜର୍ମାନୀର କୁଳପତି ଆଶଙ୍କା କରିଛନ୍ତି ଯେ, ଜର୍ମାନୀର ୬୦-୭୦ ପ୍ରତିଶତ ଜନସଂଖ୍ୟା କୋରନା ସଂକ୍ରମଣର ଶୀକାର ହୋଇପାରନ୍ତି | ଆସନ୍ତୁ ଜାଣିବା ବିଶ୍ୱରେ କୋରନା ସମ୍ପର୍କିତ ଖବର...

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋରନାକୁ ବିଶ୍ଵବ୍ୟାପୀ ମହାମାରୀ ଘୋଷଣା କରିଛନ୍ତି | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟ୍ରେଡ଼ସ ଏଡ଼ନୋମ ଘେବ୍ରେୟେଶିଷ କହିଛନ୍ତି ଯେ, କୋବିଡ-୧୯ କୁ ବିଶ୍ଵବ୍ୟାପୀ ମହାମାରୀ ଭାବେ ସ୍ୱୀକାର କରାଯାଇପାରେ | ପୂର୍ବରୁ କେବେ ଆଶଙ୍କା କରାଯାଇନଥିଲା ଯେ, କୋରନା ସଂକ୍ରମଣ ଯୋଗୁଁ ମହାମାରୀ ବ୍ୟାପିବ | ବିଶ୍ୱର ୧୨୧ ଦେଶରେ ଏଯାଏଁ ୧୨୨୩୩୧ ମାମଲା ସାମ୍ନାକୁ ଆସିସାରିଲାଣି | ସେଥି ମଧ୍ୟରୁ ୪୩୮୯ ଜଣଙ୍କ ମୃତ୍ୟୁ ହୋଇସାରିଛି | କୋରନାର ପ୍ରକୋପ ସବୁଠାରୁ ଅଧିକ ଚୀନ, ଇଟାଲୀ ଏବଂ ଇରାନରେ ଦେଖିବାକୁ ମିଳିଛି |

ଅପରପକ୍ଷରେ କୋରନା ସଂକ୍ରମଣର ପ୍ରକୋପକୁ ଦେଖି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ କହିଛନ୍ତି ଯେ, ଆସନ୍ତା ଶୁକ୍ରବାର ଠାରୁ ୩୦ ଦିନ ପର୍ଯ୍ୟନ୍ତ ୟୁରୋପର ସମସ୍ତ ଯାତ୍ରୀଙ୍କ ଯାତ୍ରା ରଦ୍ଦ କରାଯିବ | ଏହାମଧ୍ୟରେ କୌଣସି ପ୍ରକାର ଯାତାୟାତକୁ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଟ୍ରମ୍ପ | ବ୍ରିଟେନକୁ ଏହି ତାଲିକା ସାମିଲ କରାଯାଇନାହିଁ | ସମାଚାର ଏଜେନ୍ସି ଏଏକପି ଅନୁଯାୟୀ, ହଲିଉଡ଼ର ବରିଷ୍ଠ ଅଭିନେତା ଟମ ହେଂକ୍ସ ମଧ୍ୟ କୋରନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି |

ଏହାପୂର୍ବରୁ ୱାସିଂଟନରେ ବୁଧବାର ଦିନ ଜରୁରୀକାଳୀନ ଘୋଷଣା କରାଯାଇଥିଲା | ୱାସିଂଟନର ମେୟର ମ୍ୟୁରିୟଲ ବାଉଜର ଏନେଇ ଘୋଷଣା କରିଛନ୍ତି | ୱାସିଂଟନରେ ଏଯାଏଁ ୧୦ ଜଣ କୋରନାରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି | 

୩ ଦିନରେ ୩୦ ରୁ କମ ମାମଲା -

ଚଳିତ ସପ୍ତାହରେ ଚୀନରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ସୀମିତ ରହିଛି | ସୋମବାର ୧୯, ମଙ୍ଗଳବାର ୨୪ ଏବଂ ବୁଧବାର ୩୦ଜଣ ସଂକ୍ରମିତ ହୋଇଥିବା ସୂଚନା ମିଳିଛି | ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶରୁ ସଂକ୍ରମିତ ହୋଇ ଆସିଥିବା ସୂଚନା ମିଳିଛି | ଚୀନରେ ୮୦ ହଜାର ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ୬୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି |

ଇରାନରେ ୨୪ ଘଣ୍ଟାରେ ହଜାରେ ମାମଲା, ୬୩ ମୃତ -

ଇରାନରେ କୋରନା ସଙ୍କଟ ବ୍ୟାପିବାରେ ଲାଗିଛି | ସୂଚନାଯୋଗ୍ୟ ଯେ, ବୁଧବାର ଦିନ ୨୪ ଘଣ୍ଟା ମଧ୍ୟରେ ୯୫୮ ଜଣ ସଂକ୍ରମିତ ହୋଇଥିବା ମାମଲା ସାମ୍ନାକୁ ଆସିଛି ଏବଂ ୬୩ ଜଣଙ୍କ ମୃତ୍ୟୁ ହୋଇଛି | ଇରାନରେ ମୋଟ ୯ ହଜାର ରୋଗୀ ଚିହ୍ନଟ ହୋଇସାରିଛନ୍ତି | ଏମାନଙ୍କ ମଧ୍ୟରେ ୩୫୪ ରୋଗୀଙ୍କ ମୃତ୍ୟୁ ହୋଇସାରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.