ନୂଆଦିଲ୍ଲୀ ୩୦/୦୯: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆଜି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରେଟିକ ପାର୍ଟିର ଆଶାୟୀ ପ୍ରାର୍ଥୀ ଜୋ ବିଡେନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ବିତର୍କ ହୋଇଛି। କରୋନା ଭାଇରସରକୁ ନେଇ ଟ୍ରମ୍ପଙ୍କୁ ଘେରିଛନ୍ତି ବିଡେନ । ଆମେରିକାରେ କରୋନା ଜନିତ ମୃତ୍ୟୁକୁ ନେଇ ସେ ଟ୍ରମ୍ପଙ୍କ ଉପରେ ଜୋର୍ରେ ବର୍ଷିଛନ୍ତି। ଟ୍ରମ୍ପ ମଧ୍ୟ ବିଡେନଙ୍କୁ ନ ଛାଡି ତାର ଜବାବ ଦେଇଛନ୍ତି । ଆମେରିକା ଠିକ୍ ତଥ୍ୟ ଦେଉଥିବାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ଟ୍ରମ୍ପ। କେବଳ ବିଡେନଙ୍କୁ ନୁହେଁ ଟ୍ରମ୍ପ ମଧ୍ୟ ଭାରତ ଉପରେ ଦୋଷ ଲଦିବାକୁ ଭୁଲି ନାହାନ୍ତି । ବିଡେନ ଖୋଲା ଖୋଲି କହିଛନ୍ତି ଟ୍ରମ୍ପ ପ୍ରଶାସନ କରୋନା ମହାମାରୀ ବିରୋଧରେ କୌଣସି ପ୍ରସ୍ତୁତ କରି ନାହିଁ।
ବିଡେନ ଟ୍ରମ୍ପଙ୍କ ଉପରେ ଦୋଷ ଲଦି କହିଛନ୍ତି ଯେ ଆମେରିକାରେ ସବୁଠୁ ଅଧିକ ମୃତ୍ୟୁ ଏଥିପାଇଁ ହେଲା କାରଣ ସରକାର ଏହି ଭାଇରସ ବିପଦ ବାବଦରେ ଜାଣି ମଧ୍ୟ ମହାମାରୀକୁ ନେଇ ଚିନ୍ତାଶୂନ୍ୟ ରହିଲେ। ସଂକ୍ରମଣ ରୋକିବା ପାଇଁ କିଛି ବି ଯୋଜନା ପ୍ରସ୍ତୁତ କଲେ ନାହିଁ। ବିଡେନଙ୍କ ପ୍ରଶ୍ନର ଉତ୍ତର ଦେଇ ଟ୍ରମ୍ପ କହିଛନ୍ତି ତାଙ୍କ ସରକାର କରୋନା ସହ ବେଶ ଭଲ ଭାବେ ଲଢ଼ିଛି ଓ ଲଢୁଛି ମଧ୍ୟ। ଠିକ୍ ଡାଟା ଦିଆଯାଇଥିବାରୁ ଆମେରିକାରେ ମୃତକଙ୍କ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। କିନ୍ତୁ ଚୀନ, ଋଷ ଓ ଭାରତ ଏ ନେଇ ଠିକ୍ ତଥ୍ୟ ଦେଇ ନାହାନ୍ତି।
ଟ୍ରମ୍ପ ଭାରତ ଉପରେ ବଡ଼ ଆରୋପ ଲଗାଇ କହିଛନ୍ତି କେହି ଜାଣନ୍ତି ନାହିଁ ଭାରତ, ଚୀନ, ଋଷରେ କେତେ ଲୋକ ପ୍ରାଣ ହରାଇଛନ୍ତି। ଏମାନେ କରୋନା ଜନିତ ମୃତକଙ୍କ ଠିକ୍ ତଥ୍ୟ ଦେଇ ନାହାନ୍ତି। ଏହା ସହ ସେ ବିଡେନଙ୍କୁ ଟାର୍ଗେଟ କରି କହିଲେ ଯଦି ବିଡେନ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ ତେବେ ଆମେରିକାରେ ୨୦ ଲକ୍ଷ ଲୋକ ପ୍ରାଣ ହରାଇଥାନ୍ତେ।