ଚୀନ୍ ପାଇଁ ଜନସମ୍ପର୍କ ଏଜେନ୍ସି ଭଳି WHO, ନିଜ ପାଇଁ ଲଜ୍ଜିତ ହେବା ଉଚିତ୍ : ଡୋନାଲ୍ଡ ଟ୍ରମ୍ପ୍

Published By : Prameya-News7 Bureau | May 01, 2020 IST

ଓ୍ବାଶିଂଟନ୍ ୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋରୋନା ଭାଇରସ୍ ବିଶ୍ବ ମହାମାରୀ ସଙ୍କଟ ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)କୁ ଚୀନ୍‌ର ଜନସମ୍ପର୍କ ସଂସ୍ଥା ସହ ତୁଳନା କରି କହିଛନ୍ତି ଯେ, ଏହି ସଂଗଠନ ନିଜକୁ ଲଜ୍ଜିତ କରିବା ଉଚିତ୍ । କରୋନା ଜୀବାଣୁ ଉପରେ WHOର ଭୂମିକା ଉପରେ ଟ୍ରମ୍ପ ପ୍ରଶାସନ ତଦନ୍ତ ଆରମ୍ଭ କରିଛି ଏବଂ ଆମେରିକାର ପକ୍ଷରୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ସାମୟିକ ଭାବେ ବନ୍ଦ କରିଦେଇଛି ।

ହ୍ବାଇଟ ହାଉସର ଇଷ୍ଟ ରୁମରେ ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ, ମୁଁ ଭାବୁଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ନିଜ ପାଇଁ ଲଜ୍ଜିତ ହେବା ଉଚିତ୍ କାରଣ ଏହା ଚୀନ୍‌ର ଜନସମ୍ପର୍କ ଏଜେନ୍ସି ଭାବରେ କାର୍ଯ୍ୟ କରୁଛି । ସେ କହିଛନ୍ତି ଯେ ଆମେରିକା WHO କୁ ବର୍ଷକୁ ପ୍ରାୟ ୫୦ କୋଟି ଡଲାର ଦେଉଥିବାବେଳେ ଚୀନ ୩.୮ କୋଟି ଡଲାର ଦେଇଥାଏ । ସେ କହିଛନ୍ତି ଯେ ଏହା କମ୍ କିମ୍ବା ବେଶୀ ହେଉ, ଏଥିରେ କିଛି ଫରକ ପଡିବ ନାହିଁ । ସେମାନଙ୍କୁ ସେହି ସମୟରେ ବାହାନା କରିବା ଉଚିତ୍ ନୁହେଁ ଯେତେବେଳେ ଲୋକମାନେ ଭୟଙ୍କର ଭୁଲ୍ କରନ୍ତି, ବିଶେଷତଃ ଏପରି ଭୁଲ୍ ଯାହା ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଚାଲିଯିବ । ଟ୍ରମ୍ପ କହିଛନ୍ତି ଯେ, ମୋ ମତରେ WHO ନିଜ ପାଇଁ ଲଜ୍ଜିତ ହେବା ଉଚିତ୍ ।

ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଅଭିଯୋଗ କରିଛନ୍ତି ଯେ WHO ଏହାର ଭୂମିକାରେ ବିଫଳ ହୋଇଛି ଏବଂ କରୋନା ଭାଇରସ୍ ଉପରେ ବିଶ୍ବକୁ ବିଭ୍ରାନ୍ତ କରିଛି । ଦି ସ୍କଟ୍ ସ୍ୟାଣ୍ଡସ୍ ସୋକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ WHO ଏହି ପ୍ରସଙ୍ଗରେ ପଦକ୍ଷେପ ନେବାରେ ବିଫଳ ହୋଇଛି ।

ପମ୍ପିଓ ଫକ୍ସ ନ୍ୟୁଜକୁ ଅନ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମେ ଜାଣୁ ଯେ WHO ନିକଟରେ ଗୋଟିଏ କାମ ରହିଛି । ଏକମାତ୍ର ମିଶନ - ବିଶ୍ବ ମହାମାରୀକୁ ବିସ୍ତାରରୁ ରୋକିବା । ଆମେ ଜାଣୁ ଯେ ସେହି ସଂଗଠନର ନେତା ଚୀନ୍ ଯାଇ ଏହାକୁ ବିଶ୍ବ ମହାମାରୀ ରୂପେ ଗ୍ରହଣ କରିବାକୁ ମନା ସେପର୍ଯ୍ୟନ୍ତ ମନାକରିଥିଲେ ଯେପର୍ଯ୍ୟନ୍ତ ସମଗ୍ର ବିଶ୍ବକୁ ଏହି ସତ ଜଣାପଡିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.