ଚଳିତବର୍ଷ ଶେଷ ସୁଦ୍ଧା ଆମେରିକାରେ ଉପଲବ୍ଧ ହେବ କରୋନା ଭାଇରସ୍ ଟୀକା : ଡୋନାଲ୍ଡ ଟ୍ରମ୍ପ୍

Published By : Prameya-News7 Bureau | May 04, 2020 IST

ଓ୍ବାଶିଂଟନ୍ ୪।୫: କରୋନା ଭାଇରସ୍ ମହାମାରୀର ସଙ୍କଟ ସାରା ବିଶ୍ବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀ ଆମେରିକାରେ ସର୍ବାଧିକ ବିନାଶ ଘଟାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ କରୋନା ଭାଇରସ୍ ଯୋଗୁଁ ୧୪୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଗତ କିଛି ଦିନ ମଧ୍ୟରେ ଏହା ଦିନରେ ସର୍ବନିମ୍ନ ମୃତ୍ୟୁ ସଂଖ୍ୟା । ଆମେରିକାରେ ଏହି ସଂଖ୍ୟା କ୍ରମାଗତ ଭାବରେ ୧୦୦୦ରୁ ଅଧିକ ରହିଛି।

ଆମେରିକାରେ ଏପର୍ଯ୍ୟନ୍ତ ୧୧ଲକ୍ଷରୁ ଅଧିକ ଲୋକ କରୋନା ଭାଇରସ୍ ମହାମାରୀର ଶିକାର ହୋଇଛନ୍ତି। ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଏଠାରେ ମହାମାରୀ ହେତୁ ୬୭ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ସୋମବାରଠାରୁ ଆମେରିକାରେ ସାଧାରଣ ଅବସ୍ଥାକୁ ଧୀରେ ଧୀରେ ଫେରିବା ଆରମ୍ଭ କରିଛି । ଅନେକ ରାଜ୍ୟ ସେଠାକାର ବଜାର-ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । ଟେକ୍ସାସ ଭଳି ରାଜ୍ୟ ମଧ୍ୟ ସିନେମା ହାଉସ୍, ବାର୍ ଏବଂ ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେଇଛନ୍ତି । ଆମେରିକାର ପ୍ରାୟ ୩୫ଟି ରାଜ୍ୟ ପୂର୍ବରୁ ଲକ୍ ଡାଉନ୍ ଖୋଲିବାକୁ ଯୋଜନା କରିଥିଲେ।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ବର୍ତ୍ତମାନ ଆମେରିକାରୁ ସଂପୂର୍ଣ୍ଣ ଭାବେ ଖୋଲିବାକୁ ପ୍ରସ୍ତୁତ ଅଛି । ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ଆମେରିକାରେ କରୋନା ଭାଇରସ୍ ଟୀକା ମିଳିବ।

ଏକ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକାର ଅନେକ ଲୋକଙ୍କ ମନରେ ଭୟର ବାତାବରଣ ରହିଛି । କିଛି ଲୋକ ଅସୁସ୍ଥତାକୁ ଭୟ କରୁଛନ୍ତି ଏବଂ କିଛି ଲୋକ ଚାକିରୀ ହରାଇବାକୁ ଭୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଆମକୁ ଉଭୟ ସମସ୍ୟାର ଏକାସାଙ୍ଗରେ ସାମ୍ନା କରିବାକୁ ପଡିବ ।

କରୋନା ଭୂତାଣୁ ଯୋଗୁଁ ଗତ ଦୁଇ ମାସ ଧରି ଆମେରିକାରେ ସବୁକିଛି ଠପ୍ ହୋଇଯାଇଛି । ଏଥିଯୋଗୁଁ ଦୁଇ କୋଟିରୁ ଅଧିକ ଲୋକ ଚାକିରୀ ହରାଇଛନ୍ତି । ଏକ ଅନୁସନ୍ଧାନରେ କୁହାଯାଇଛି ଯେ, ଏହି ସଂଖ୍ୟା ତିନି କୋଟିରେ ପହଞ୍ଚିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.