ଡୋନାଲ୍ଡ ଟ୍ରମ୍ପ୍ ପୁଣି ହେବେ ରାଷ୍ଟ୍ରପତି; ଗିରଫଦାରୀ ଦାବିରେ ଏମିତି କହିଲେ ଏଲନ ମସ୍କ…
19/03/2023 at 2:44 PM

ୱାସିଂଟନ୍ ୧୯/୦୩: ବିଲିୟନେୟାର ତଥା ଟ୍ୱିଟରର ସିଇଓ ଏଲନ୍ ମସ୍କ ଦାବି କରିଛନ୍ତି ଯେ, ଯଦି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗିରଫ କରାଯାଏ ତେବେ ସେ ଆଗାମୀ ନିର୍ବାଚନରେ ବିପୁଳ ଭୋଟରେ ଜିତି ପାରନ୍ତି।
ଏହାପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଶନିବାର (ମାର୍ଚ୍ଚ ୧୮) କହିଥିଲେ ଯେ, ତାଙ୍କୁ ଆସନ୍ତା ମଙ୍ଗଳବାର (ମାର୍ଚ୍ଚ ୨୧) ଗିରଫ କରାଯାଇପାରିବ। ଏହି ରିପୋର୍ଟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ଏଲନ୍ ମସ୍କ୍ ଏମିତି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ଏମିତ ହୁଏ ତାହେଲେ ଟ୍ରମ୍ପ୍ ବିପୁଳ ସଂଖ୍ୟାରେ ଭୋଟ୍ ପାଇ ପୁନଃନିର୍ବାଚିତ ହେବେ।

ଶନିବାର ପୂର୍ବାହ୍ନରେ ଟ୍ରମ୍ପ୍ ଘୋଷଣା କରିଥିଲେ କି, ତଥ୍ୟ-ଗୁପ୍ତ ରଖିବା ପାଇଁ ଦିଆଯାଇଥିବା ଅର୍ଥ (ହସ୍-ମନି ସ୍କିମ୍) ମାମଲାରେ ବର୍ଷ ବର୍ଷ ଧରି ଚାଲିଥିବା ତଦନ୍ତର ଅଂଶବିଶେଷ ଭାବେ ଆଗାମୀ ସପ୍ତାହର ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯିବ। ଏଥିସହିତ ଗିରଫଦାରି କାର୍ଯ୍ୟାନୁଷ୍ଠାନ ବିପକ୍ଷରେ ପ୍ରତିବାଦ କରିବାକୁ ମଧ୍ୟ ସେ ତାଙ୍କ ସୋସିଆଲ୍ ମିଡିଆ ସମର୍ଥକମାନଙ୍କୁ ମଧ୍ୟ କହିଛନ୍ତି।
‘ସିଏନ୍ଏନ୍’ ରିପୋର୍ଟ ଅନୁସାରେ, ପ୍ରାପ୍ତବୟସ୍କଙ୍କ ନିମନ୍ତେ ଉଦ୍ଦିଷ୍ଟ ଚଳଚ୍ଚିତ୍ରର ଅଭିନେତ୍ରୀ ଷ୍ଟର୍ମି ଡାନିଏଲ୍ଙ୍କ ସହିତ ଜଡ଼ିତ ଥିବା କଥା ଗୁପ୍ତ ରଖିବା ପାଇଁ ପ୍ରଦତ୍ତ ଅର୍ଥ ମାମଲାରେ ବର୍ଷେ ହେବ ଚାଲିଛି ତଦନ୍ତ। ଏହାକୁ ନେଇ ନ୍ୟୁୟର୍କରେ ସହର, ରାଜ୍ୟ ଓ କେନ୍ଦ୍ରୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ମଧ୍ୟରେ ସପ୍ତାହ ସାରା ପ୍ରସ୍ତୁତି ବୈଠକ ଚାଲିଛି।
If this happens, it will be the beginning of Trump’s reelection. https://t.co/sQJsHsrib0
— Viva Frei (@thevivafrei) March 17, 2023
ଉଲ୍ଲେଖଯୋଗ୍ୟ, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପୁନଃନିର୍ବାଚିତ ହେବା ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପ୍ରତିଦ୍ୱନ୍ଦୀତା କରିବେ। ଏହାପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ୨୦୧୭ ରୁ ୨୦୨୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହି ଆସିଛନ୍ତି।