ଓ୍ବାଶିଂଟନ; ଆମେରିକାରେ ଟାର୍ଗେଟ୍ ଫାୟାରିଂ । ନିର୍ବାଚନୀ ରାଲିରେ ଗର୍ଜିଲା ବନ୍ଧୁକ । ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ ଗୁଳିମାଡ଼ । ଅଳ୍ପକେ ବର୍ତ୍ତିଲେ ରାଷ୍ଟ୍ରପତି ପ୍ରାର୍ଥୀ । ସନ୍ଦିଗ୍ଧ ଆକ୍ରମଣକାରୀ ମୃତ। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାରେ ହିଂସାତ୍ମକ ଘଟଣା । ସୁଟରଙ୍କ ଟାର୍ଗେଟରେ ରହିଥିଲେ ରାଷ୍ଟ୍ରପତି ପ୍ରାର୍ଥୀ । ହେଲେ ସମୟ ବଡ଼ ବଳବାନ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ରିପବ୍ଲିକ୍ ପାର୍ଟିର ବଡ଼ ନେତା । ପେନସିଲଭେନିୟାର ବଟଲରରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରୁଥିବା ବେଳେ ସୁଟରଙ୍କ ଟାର୍ଗେଟ୍ ଫାୟାରିଂର ଶିକାର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । କେହି କିଛି ଭାବିବା ପୂର୍ବରୁ ଅଚାନକ ଶୁଭିଥିଲା ରାଇଫଲର ଗର୍ଜନ । ଆଉ ଟ୍ରମ୍ପଙ୍କ କାନକୁ ଛେଦି ପାର୍ କରିଯାଇଥିଲା ଗୁଳି । ଫଳରେ ଏକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ରିପବ୍ଲିକ୍ ପାର୍ଟିର ଏହି ଲିଡର ।
ଟ୍ରମ୍ପଙ୍କ ଡାହାଣ କାନରେ ଲାଗିଛି ଗୁଳି । ରକ୍ତ ଜୁଡ଼ୁବୁଡ଼ୁ ଆବସ୍ଥାରେ ହସ୍ପିଟାଲରେ ଭର୍ତ୍ତି । ବଞ୍ଚାଇ ଦେଲେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ । ଗୁଳି ବାଜିବା ପରେ ପୋଡିୟମକୁ ଧରି ତଳେ ପଡ଼ିଯାଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏପଟେ ସୁରକ୍ଷା ଦାୟିତ୍ବରେ ଥିବା ସିକ୍ରେଟ୍ ସର୍ଭିସ୍ ଏଜେନ୍ସିର ଏଜେଣ୍ଟମାନେ ତୁରନ୍ତ ତାଙ୍କୁ କର୍ଡନ କରି ନେଇଥିଲେ । ପରେ ରିପବ୍ଲିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ଅନ୍ୟପେଟେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଜଣେ ସୁଟରଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ପେନସିଲଭେନିୟା ବେଥଲ୍ ପାର୍କ ଏରିଆର ଥାମସ୍ ମାଥ୍ୟୁ କ୍ରୁକ୍ସ । ସେ AR-15 ସେମି ଅଟୋମେଟିକ୍ ରାଇଫଲ ସାହାଯ୍ୟରେ ଟ୍ରମ୍ପଙ୍କୁ ଟାର୍ଟେଟ୍ କରିଥିଲେ । ଅନ୍ୟଜଣେ ସନ୍ଦିଗ୍ଧଙ୍କୁ ଧରିବାକୁ ଜୋରଦାର୍ ଅପରେସନ ଚଳାଇଛି ପେନସିଲଭେନିୟା ପୋଲିସ୍ ।
କାହିଁକି ଟ୍ରମ୍ପଙ୍କୁ ଟାର୍ଗେଟ୍ କଲେ ମାଥ୍ୟୁ କ୍ରୁକ୍ସ ? ହତ୍ୟା ଉଦ୍ୟମ ପଛରେ ଉଦ୍ଦେଶ୍ୟ କ’ଣ ? କୌଣସି ବଡ଼ ନେତାଙ୍କର ରହିଛି କି ହାତ ? ଏପଟେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼ ଘଟଣାକୁ ନେଇ ବିଶ୍ବବ୍ୟାପୀ ନେତା ନିନ୍ଦା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ଓ ଉପ-ରାଷ୍ଟ୍ରପତି କମଲା ହାରିସ୍, ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ଗୁଳିମାଡ଼ ଘଟଣା ଦୃଢ଼ ନିନ୍ଦା କରିଛନ୍ତି । ସେହିପରି ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ଟ୍ରମ୍ପଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ଅନ୍ୟପଟେ ଟ୍ରମ୍ପଙ୍କ ପକ୍ଷରୁ ଏକ ବୟାନ ଜାରି ହୋଇଛି । ସେ ୟୁନାଇଟେଡ୍ ଷ୍ଟେଟ୍ସ ସିକ୍ରେଟ୍ ସର୍ଭିସ୍ ଏବଂ ସିକ୍ୟୁରିଟି ଏଜେନ୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୁଳିବିନିୟମ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପ ।