ଘରୋଇ ହିଂସା ଆଇନରେ ଚାଲିବନି ହିନ୍ଦୁ-ମୁସଲମାନ... ସୁପ୍ରିମକୋର୍ଟ ସ୍ପଷ୍ଟ ଶବ୍ଦରେ କହିଲେ-ସଭିଙ୍କ ଉପରେ ହେବ ଲାଗୁ

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ବିଭି ନାଗରତ୍ନୀଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ଡିଭି ଆକ୍ଟ (ଡୋମେଷ୍ଟିକ୍ ଭାୟୋଲାନ୍ସ) ୨୦୦୫ ସବୁ ମହିଳାଙ୍କ ଉପରେ ଲାଗୁ ହେଉଛି । ମହିଳାଙ୍କୁ ଭାରତୀୟ ସମ୍ୱିଧାନରେ ଯେଉଁ ଅଧିକାର ମିଳିଛି ସେହି ଅଧିକାରକୁ ସୁରକ୍ଷା ଦେବା ପାଇଁ ଏହି ଆଇନ । ଏବଂ ଏହା ସବୁ ମହିଳାଙ୍କ ଉପରେ ସମାନ ରୂପରେ ଲାଗୁ ହେଉଛି । ଏହି ଆକ୍ଟି ଏକ ସିଭିଲ୍ କୋଡ୍ ପରି ଅଟେ ଏବଂ ଏହିପରି ଏହା ଭାରତର ସବୁ ମହିଳାଙ୍କ ଉପରେ ଲାଗୁ ହେଉଛି । ମହିଳା କେଉଁ ଧର୍ମ କିମ୍ୱା ସମୁଦାୟରୁ ଆସୁଛନ୍ତି ସେଥିରେ କିଛି ଫରକ ପଡ଼ୁ ନାହିଁ । ଏହା ସବୁ ଧର୍ମ ଏବଂ ସମୁଦାୟ ସହ ଜଡ଼ିତ ମହିଳାଙ୍କ ଉପରେ ଲାଗୁ ହେଉଛି ।

କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଜଣେ ମହିଳା ଚ୍ୟାଲେଞ୍ଜ କରିଥିଲେ । ମହିଳା ଜଣ ୨୦୧୫ ଫେବ୍ରୁଆରୀରେ ଗୁଜୁରଣା ଭତ୍ତା ଆଦି ପାଇଁ ଡିଭି ଆକ୍ଟ ଅଧିନରେ ମାଜିଷ୍ଟ୍ରେଟ୍ କୋର୍ଟରେ ଆବେଦନ କରିଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଆବେଦନକୁ ସ୍ୱୀକାର କରିଥିଲେ ଏବଂ ପ୍ରତି ମାସରେ ୧୨୦୦୦ ଟଙ୍କା ଗୁଜୁରାଣ ଭତ୍ତା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ମହିଳାଙ୍କ ସ୍ୱାମୀ ଏହି ରାୟକୁ ଚ୍ୟାଲେଞ୍ଜ କରିଥିଲେ । ଅପିଲ୍ କୋର୍ଟ ବିଳମ୍ୱ କାରଣ ଦର୍ଶାଇ ଆବେଦନକୁ ଖାରଜ କରିଥିଲେ । ଏହାପରେ ସ୍ୱାମୀ ପୁଣି ଥରେ ଆବେଦନ ଦାଖଲ କରିଥିଲେ ଏବଂ କୋର୍ଟ ଏହାକୁ ସ୍ୱୀକାର କରିଥିଲେ । ନିମ୍ନ ଅଦାଲତ ସ୍ଥିତ ମାଜିଷ୍ଟ୍ରେଟଙ୍କୁ ଅପିଲ୍ କୋର୍ଟ ମାମଲା ପଠାଇଥିଲେ ଏବଂ ପୁଣି ଥରେ ଆବେଦନ ଉପରେ ବିଚାର କରିବାକୁ କହିଥିଲେ । ଏହି ନିଷ୍ପତ୍ତିକୁ ମହିଳା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ହାଇକୋର୍ଟ ଆବେଦନକୁ ଖାରଜ କରିଥିଲେ । ହାଇକୋର୍ଟ ମାଜିଷ୍ଟ୍ରେଟ୍ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ଯେ ସେ ମହିଳାଙ୍କ ସ୍ୱାମୀ ଦ୍ୱାରା ଡିଭି ଆକ୍ଟର ଧାରା-୨୫ ଅଧିନରେ ଦାଖଲ ଯାଚିକା ଉପରେ ପୁନଃ ବିଚାର କରିବେ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଡିଭି ଆକ୍ଟର ଧାରା-୨୫ରେ ଆବେଦନ ଦାଖଲ ହୋଇପାରିବ କିନ୍ତୁ ଏହି ଆବେଦନ ସେତେବେଳେ ଦାଖଲ ହୋଇପାରିବ ଯେତେବେଳେ ପରିସ୍ଥିତି ବଦଳିଥିବ । ପରିସ୍ଥିତିରେ ପରିବର୍ତ୍ତନ ପରେ ଆଦେଶରେ ପରିବର୍ତ୍ତନ ପାଇଁ ଆବେଦନ କରାଯାଇପାରିବ । ପରିସ୍ଥିତି ବଦଳିବା ଅର୍ଥ ଏଠାରେ ଆୟରେ ପରିବର୍ତ୍ତନ ଆଦି ସହ ଜଡିତ । ଅର୍ଥାତ୍ ଧାରା-୨୫(୨)ର ବ୍ୟବହାର ସେତେବେଳେ ହୋଇପାରିବ ଯେତେବେଳେ ପରିସ୍ଥିତି ବଦଳିଥିବ । ଖଣ୍ଡପୀଠ କହିଛନ୍ତି ଦିଆଯାଇଥିବା ଟଙ୍କାକୁ ଫେରସ୍ତ ପାଇଁ ସ୍ୱାମୀ ଆବେଦନ କରିପାରିବେ ନାହିଁ । ଅପିଲ୍ କୋର୍ଟ ଏବଂ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.