ଚିଲିକାରେ ବୁଧବାରଠୁ ଆରମ୍ଭ ହେବ ଡଲଫିନ୍‌ ଗଣନା; ସାମିଲ୍‌ ହେବେ ୧୮ଟି ଟିମ୍‌

Published By : Prameya-News7 Bureau | December 20, 2022 IST

ଟାଙ୍ଗୀ ୨୦/୧୨: ଆସନ୍ତାକାଲି ବା ବୁଧବାର ଠାରୁ ଚିଲିକାରେ ଡଲଫିନ ଗଣନା ଆରମ୍ଭ ହେବ। ଚିଲିକା ଫରେଷ୍ଟ ଡିଭିଜନ ପକ୍ଷରୁ ଏହି ଡଲଫିନ୍ ଗଣନା କରାଯିବ। ସେଥିପାଇଁ ମଙ୍ଗଳବାର ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ହୋଇଥିଲା। ଚିଲିକା ବନ୍ୟପ୍ରାଣୀ ଡିଭିଜନର ୨ଟି ରେଞ୍ଜ ବାଲୁଗାଁ ଓ ସାତପଡ଼ାକୁ ୧୮ ଭାଗରେ ବିଭକ୍ତ କରାଯାଇଛି।

ବୁଧବାର ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବ। ଚଳିତ ବର୍ଷ ଡଲଫିନ ଗଣନା କାମରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି। ବାଲୁଗାଁରେ ୧୦ଟି ଏବଂ ସାତପଡ଼ା ରେଞ୍ଜ ଅଧୀନରେ ମୋଟ୍ ୮ଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍‌ରେ ୫ ରୁ ୬ ଜଣ ସଦସ୍ୟ ନିୟୋଜିତ ହେବେ। ଏହି ଟିମ୍‌ରେ ଓୟୁଏଟି ଛାତ୍ରଛାତ୍ରୀ, ବନ ବିଭାଗ କର୍ମଚାରୀ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ), ସ୍ୱେଚ୍ଛାସେବୀ ସଙ୍ଗଗଠନ ସଦସ୍ୟ ଏବଂ ପରିବେଶବିତ୍‌ମାନେ ସାମିଲ ହୋଇଛନ୍ତି।

ବୋଟରେ ଚିଲିକା ଭିତରକୁ ଯାଇ ଜିପିଏସ ମାଧ୍ୟମରେ ଲାଇନଟ୍ରାକ୍ ଓ ବାଇନକୁଲାର ମାଧ୍ୟମରେ ସର୍ଭେ ଓ ଗଣନା କରାଯିବ। ଗତବର୍ଷ  ଚିଲିକାରେ ୧୬୪ଟି ଇରାୱାଡି ଡଲଫିନ ଥିବା ଚିହ୍ନଟ ହୋଇଥିଲା। ୩ ଦିନ ଧରି (ଡିସେମ୍ୱର ୨୧, ୨୨, ୨୩ ତାରିଖ) ଏହି ଡଲଫିନ୍ ଗଣନା ହେବ ବୋଲି ଚିଲିକା ବନ୍ୟପ୍ରାଣୀ ଡିଭିଜନର ଏସିଏଫ ପ୍ରଶାନ୍ତ କୁମାର ପଣ୍ଡା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.